ଭୁବନେଶ୍ୱର, 7 ଫେବୃଆରୀ :- ମାସିକ ୧୦ ହଜାରରୁ ଊର୍ଦ୍ଧ୍ୱ ମାସିକ ପ୍ରୋତ୍ସାହନ ରାଶି ପ୍ରାପ୍ତି ଓ ଅନ୍ୟ ୨ ଦଫା ଦାବି ନେଇ ବିଧାନସଭା ଆଗରେ ଲଢୁଛି ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଚଳିତ ଜାନୁଆରୀ ୩୦ ତାରିଖରୁ ଜୋର୍ଦାର ସଂଗ୍ରାମ ଜାରି ରଖିଛି । ଗତକାଲି ସେହି ଗାଁସାଥୀଙ୍କ ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କା ପାଇବା ପ୍ରସଙ୍ଗରେ ବିରୋଧି ଦଳ ନେତା ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କରିଥିବାରୁ ସଂଘ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଜି ଧାରଣାସ୍ଥଳରେ ହଜାର ହଜାର ଗାଁସାଥୀ (ମେଟ୍) ମିଳିତ ଭାବେ ନିଷ୍ପତ୍ତି ନେଲେ ଯେ, ଏ ସରକାର ତାଙ୍କର ମାସିକ ପ୍ରୋତ୍ସାହନ ରାଶି ଦାବିକୁ ଆଗାମୀ ୧ ସପ୍ତାହ ମଧ୍ୟରେ ପୂରଣ ନ କରେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଜୋର୍ଦାର ବିରୋଧ କରିବ ସଂଘ । ଏହାର ରଣନୀତି ଓଡ଼ିଶାର ୪ଟି ସ୍ଥାନରେ ସମାବେଶ କରି ପ୍ରସ୍ତୁତ କରିବ । ନିଷ୍ପତ୍ତି ଅନୁଯାୟୀ ଚଳିତ ଫେବୃୟାରୀ ୧୬ରେ ଉପକୂଳ ଓଡ଼ିଶାରେ ଥିବା ଭଦ୍ରକ ଜିଲ୍ଲା ଅଫିସ୍ ଆଗରେ ୫ଟି ଜିଲ୍ଲା ଯଥା- ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁରର ସମସ୍ତ ଗାଁସାଥୀ (ମେଟ୍)ଙ୍କୁ ନେଇ କରାଯିବ । ଠିକ୍ ସେହିପରି ପଶ୍ଚିମାଞ୍ଚଳରେ ସମ୍ବଲପୁରଠାରେ ଚଳିତ ଫେବୃୟାରୀ ୨୮ ତାରିଖରେ ସମ୍ବଲପୁର ଆର.ଡି.ସି. ଅଫିସ୍ ଆଗରେ ସମାବେଶ ହେବ । ବାକି ୨ଟି ସ୍ଥାନ ଓ ତାରିଖ ଆଗାମୀ ସପ୍ତାହ ମଧ୍ୟରେ ଜଣାଇ ଦିଆଯିବ । ଏଣୁ ତା’ରା ଆଗରୁ ସରକାର ଏମାନଙ୍କ ଦାବିକୁ ପୂରଣ କରି ବିଧିବଦ୍ଧ ସରକାର ଘୋଷଣା କରନ୍ତୁ ବୋଲି ସଂଘ ନିବେଦନ ଜଣାଇଛି ।
