ମୁମ୍ବାଇ, 7 ଫେବୃଆରୀ :- ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମ୍ପାନୀ ମାଇକ୍ରୋସଫ୍ଟ 2025 ସୁଦ୍ଧା 20ଲକ୍ଷରୁ ଅଧିକ ଭାରତୀୟଙ୍କୁ କୃତ୍ରିମ ବୁଦ୍ଧିମତା (ଏଆଇ)ର କୌଶଳରେ ଦକ୍ଷ କରିବା ପାଇଁ ଟ୍ରେନିଂ ଦେବ । ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସତ୍ୟା ନଡେଲା ବୁଧବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ।
ନଡେଲା ଏଆଇ ଉପରେ ଆମେରିକା ଓ ଭାରତ ମଧ୍ୟରେ ସହଯୋଗ ସହିତ ଜଡିତ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ମାଇକ୍ରୋସଫ୍ଟ 2025 ସୁଦ୍ଧା ଭାରତରେ 20ଲକ୍ଷ ଲୋକଙ୍କୁ ଏଆଇରେ ଦକ୍ଷ କରିବ । ସେ ଭାରତକୁ ଉଚ୍ଚ ଅଭିବୃଦ୍ଧି ହାର ଥିବା ବଜାର ଭାବେ ବର୍ଣ୍ଣନା କରି କହିଛନ୍ତି ଯେ, ଦେଶରେ ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଏଆଇ ସାହାଯ୍ୟ କରିପାରିବ। ଏହି ଅବସରରେ ସେ ଭାରତ ଏବଂ ଆମେରିକା ମଧ୍ୟରେ ଏଆଇ ସହ ଜଡିତ ନିୟମ ତଥା ଅନ୍ୟାନ୍ୟ ନିୟମ ଉପରେ ସହଯୋଗ ବୃଦ୍ଧି କରିବାକୁ ମଧ୍ୟ ସମର୍ଥନ କରିଥିଲେ।
