ଜୟପୁର, ୩ ମଇ – ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟାର ଯୁଗରେ ସୃଜନଶୀଳତାକୁ ପ୍ରୟୋଗ କରି ନୂତନ ଧାରା ସୃଷ୍ଟି କରିହୁଏ । ଏହିପରି ଏକ ନିଆରା ପଦକ୍ଷେପରେ କୋରପୁଟ ଜିଲ୍ଲା ପ୍ରଶାସନ ଉନ୍ନତ ମାନର ଶ୍ରେଣିଗୃହରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ସରସ ସୁନ୍ଦର ଓ ପ୍ରଭାବଶାଳୀ କରିବା ପାଇଁ ବ୍ୟବହାର କରାଯାଉଥିବା ଭର୍ଚୁଆଲ ରିଅଲିଟି ( ଭି ଆର) ହେଡସେଟ କୁ ଯୁବ ଭୋଟରଙ୍କ ମଧ୍ୟରେ ଭୋଟଦାନ କେନ୍ଦ୍ରରେ ପ୍ରୟୋଗ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚେତନ କରାଇ ଭୋଟଦାନ କରିବା ନିମନ୍ତେ ବ୍ୟବହାର କରାଯିବା ଭଳି ନିଆରା କାର୍ଯ୍ୟ ହାତକୁ ନିଆଯାଇଥିବା ଆଜି ଜିଲ୍ଳାପାଳ ଭି . କୀର୍ତି ଭାସନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ବୈଷୟିକ ପ୍ରେରଣାକୁ ଆଧାର କରି ଜିଲ୍ଲା ପ୍ରଶାସନର ଯୁବ କର୍ମଚାରୀଙ୍କ ଦ୍ଵାରା ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଏହି ହେଡସେଟ ରେ ଏକ ମତଦାନ କେନ୍ଦ୍ରରେ ମତଦାତା ପ୍ରବେଶ କରିବା ପରେ କେଉଁ ସ୍ଥାନରେ କାହାକୁ ପ୍ରଥମେ ସାକ୍ଷାତ କରିବେ, ଆଙ୍ଗୁଠିରେ ମତଦାନ କାଳି ଲଗାଇବେ ଭଳି କାର୍ଯ୍ୟ ଠାରୁ ଆରମ୍ଭ କରି ମତଦାନ କୋଠରୀରେ ଇଭିଏମ କୁ କିପରି ବ୍ୟବହାର କରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ପ୍ରାମାଣିକ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ଏହାକୁ ପରିଧାନ କରି ଯେ କୌଣସି ଭୋଟର ମତଦାନ କେନ୍ଦ୍ରର ବିସ୍ତୃତ ଆୟୋଜନ ସମ୍ପର୍କରେ ଜାଣିବାରେ ସକ୍ଷମ ହେବାର ଆଶା ଥିବା ବେଳେ ଏହା ବିଶେଷ କରି ପ୍ରଥମ ଥର ପାଇଁ ଭୋଟଦାନ କରୁଥିବା ଯୁବପିଢିଙ୍କ ପାଇଁ ବେଶ ଉପଯୋଗୀ ହୋଇପାରିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ଜିଲ୍ଲାରେ ବିଭିନ୍ନ ଅଂଚଳରେ ବର୍ତମାନ ଚାଲିଥିବା ଭୋଟର ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଦ୍ଵାରା ନିର୍ମିତ ସାତଟି ଭି ଆର ହେଡସେଟ ନୂତନ ମତଦାତାଙ୍କ ମଧ୍ୟରେ ଅଧିକ ଆଗ୍ରହ ସୃଷ୍ଟି କରିବ ବୋଲି ଜ଼ିଲ୍ଲାପାଳ ମତ ରଖିଛନ୍ତି । ଯୁବପିଢି ବିଶେଷ କରି ସାଧାରଣ ନିର୍ବାଚନରେ ପ୍ରଥମ ଥର ଭୋଟ ଦେଉଥିବା ଯୁବକ ଯୁବତୀଙ୍କ ମଧ୍ୟରେ ଭୋଟ ଦେବା ମାଧ୍ୟମରେ ନିଜ ମତାମତ ଉପସ୍ଥାପନ କରିବାର ଅଧିକାର ଓ ଦାୟିତ୍ଵ ସମ୍ପର୍କରେ ସଚେତନ କରିବା ପାଇଁ କୋରାପୁଟ ଜିଲ୍ଳାପାଳ ଭି. କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ ଆଜି ଭି ଆର ହେଡସେଟ ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଯିବାର ପ୍ରୟାସ ଯେ ଆହୁରି ଫଳପ୍ରଦ ହେବ ସେଥିରେ ସନ୍ଦେହ ନାହିଁ । ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତାର ବାର୍ତ୍ତା ମାଧ୍ୟମରେ ଆହ୍ବାନ ଦିଆଯାଇଛି। ଯାହା ସମସ୍ତ ଭୋଟରଙ୍କ ପାଇଁ ଏକ ପ୍ରେରଣା। ଓଡ଼ିଶାରେ ପ୍ରଥମ କରି କୋରାପୁଟ ଜ଼ିଲ୍ଲାରେ ଏହିଭଳି ଏକ ଅଭିନବ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲାର ସମସ୍ତ ବ୍ଲକ ପ୍ରଶାସନ ନିଜ ନିଜ ଅଞ୍ଚଳରେ ଭୋଟରଙ୍କୁ ମତଦାନର ମହାନତା ଓ ଆଧାର ସମ୍ପର୍କରେ ସଚେତନତା କରାଇବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।
