

ଜୟପୁର, ୫ ଡିସେମ୍ବର (ହି.ସ.)- ଆଜି ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଏଆଇଟିୟୁସି ସହବନ୍ଧିତ ଶ୍ରମିକ ସଂଗଠନ ମାନଙ୍କୁ ନେଇ ଆସନ୍ତା ଡିସେମ୍ବର – ୧୬ ଭୁବନେଶ୍ଵର ଶ୍ରମିକ ସମାବେଶ ସଫଳ କରିବା ପାଇଁ ଏକ କନଭେନସନ୍ ଶ୍ରମିକ ଉତ୍ତମ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ମିଳିତ କମିଟିର ଆବାହକ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ରାଜ୍ୟ ସ୍ତରୀୟ ଶ୍ରମିକ ସମାବେଶ ଓ କନଭେନସନ୍ ର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ କନଭେନସନ୍ କୁ ଉଦବୋଧନ ଦେଇ କହିଥିଲେ ଯେ, ରାଜ୍ୟରେ ଶିଳ୍ପାୟନର ଦ୍ଵାହି ଦିଆଯାଉଥିଲା ବେଳେ ହଜାର ହଜାର ଲଘୁ, କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପ ବନ୍ଦ ହେବା ଫଳରେ ଲକ୍ଷ ଲକ୍ଷ ଶ୍ରମିକ ନିଯୁକ୍ତି ହରାଇ ଦୁଃସ୍ଥିତିରେ ଅଛନ୍ତି। ଏଠି ଜୟପୁରର ସେବା କାଗଜ କଳ ୨୦୧୬ ମସିହାରୁ ବନ୍ଦ ଚାଲୁ, ବିକା କିଣା ଭିତରେ ଶ୍ରମିକ ମାନଙ୍କ ସ୍ଵାର୍ଥ ବଳି ପଡୁଛି । କାରଖାନା ନାଁ ରେ ବ୍ୟାଙ୍କ ରୁଣ ନେଇ ମାଲିକ ମାନେ ଆତ୍ମସାତ କରିଥିବାର ଅଭିଯୋଗ ହେଉଥିବା ବେଳେ ଶ୍ରମିକ ମାନଙ୍କ ପି ଏଫ୍ ପେନସନ ଗ୍ରାଚ୍ୟୁଇଟି ବକେୟା ପାଉଣା କିଛି ମିଳୁ ନାହିଁ। କଞ୍ଚାମାଲ ଅଭାବରୁ କାରଖାନା ବାରମ୍ବାର ବନ୍ଦ ହେଉଛି, କାର୍ଯ୍ୟରତ ଶ୍ରମିକ ମାନେ ପାଞ୍ଚ ମାସ ହେଲା ଦରମା ପାଇନାହାନ୍ତି। ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଯେହେତୁ ଓଡ଼ିଶାର ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ଅତ୍ୟନ୍ତ ନିରୁତ୍ସାହଜନକ ଥିବାରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବକ ଯୁବତୀ ତାଙ୍କ ଯୈ।ବନ ଓଡ଼ିଶା ନିର୍ମାଣରେ ବିନିଯୋଗ କରି ନପାରି ବାହାର ରାଜ୍ୟର ବିକାଶରେ ଯୋଗଦାନ କରୁଛନ୍ତି ଏବଂ ଏହି ଦାଦନ ଶ୍ରମିକ ମଧ୍ୟବୟସରୁ ଅକାମୀ ହୋଇ ଫେରୁଛନ୍ତି। ଏଠାରେ ୨୦୧୩ ମସିହାରୁ ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇନାହିଁ। ରାଜ୍ୟ ର ୨ ଲକ୍ଷ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା, ଦେଢ଼ ଲକ୍ଷ ଅଙ୍ଗନବାଡ଼ି କର୍ମୀ, ପଚାଶ ହଜାରରୁ ଉର୍ଦ୍ଧ୍ବ ଆଶା କର୍ମୀଙ୍କ ସମେତ ଲକ୍ଷ ଲକ୍ଷ ଅନ୍ୟାନ୍ୟ ସ୍କିମ୍ ଶ୍ରମିକ, ଆଉଟସୋର୍ସ୍ କର୍ମଚାରୀ ଦିନ ରାତି କାମକରି ମଧ୍ୟ ସର୍ବନିମ୍ନ ମଜୁରୀ ପାଉ ନାହାଁନ୍ତି। ସ୍କିମ୍ ଶ୍ରମିକ ଆଶା ଅଙ୍ଗନବାଡ଼ି ପାଚିକା ସହାୟିକାଙ୍କୁ ଗତ ଜୁଲାଇ ଅଗଷ୍ଟ ଆନ୍ଦୋଳନ ବେଳେ ସରକାର ଭତ୍ତା ବୃଦ୍ଧି ପ୍ରତିଶ୍ରୁତି ଦେଇ ମଧ୍ୟ କରୁନାହାନ୍ତି। ଏମାନଙ୍କୁ ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିସ କ୍ରମେ ଶ୍ରମିକ ମାନ୍ୟତା ଦେଇ ନାହାଁନ୍ତି। ନିର୍ମାଣ ଶ୍ରମିକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଉ ନାହିଁ। ଶ୍ରମିକ ମାନଙ୍କ ଅଧିକାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ୪୪ ଟି ଶ୍ରମ ଆଇନକୁ ବାତିଲ କରି ଚାରୋଟି ଶ୍ରମ କୋଡ଼୍ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଶ୍ରମିକ ମାନଙ୍କୁ ଶୋଷଣ କରି ବେଠି ଖଟେଇବାର ରାସ୍ତା ପରିଷ୍କାର କରିଦେଇଛି । ଦରଦାମ୍ ବୃଦ୍ଧି ହୁ ହୁ ହୋଇ ବଢ଼ିଚାଲିଛି। ଶ୍ରମିକ ମାନଙ୍କୁ ନିରାପତ୍ତା ଯୋଗାଇ ଦିଆଯାଉ ନାହିଁ। ବିଦ୍ୟୁତ୍ କର୍ମଚାରୀଙ୍କ ବେତନ ସଂଶୋଧନ ହେଉନାହିଁ। ଏହି ପୃଷ୍ଠଭୂମିରେ ଓଡ଼ିଶାର ସମସ୍ତ କ୍ଷେତ୍ରର ଶ୍ରମିକ ମାନଙ୍କୁ ନେଇ ୧୬ ଡିସେମ୍ବର ଭୁବନେଶ୍ଵର ଠାରେ ରାଜ୍ୟ ସ୍ତରୀୟ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହେବ । ଏହି ସମାବେଶରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ହଜାର ହଜାର ଶ୍ରମିକ ଯୋଗଦେବେ ।
ସମାବେଶ ର ସଫଳତା ପାଇଁ ବିଭିନ୍ନ କ୍ଷେତ୍ରର ଶ୍ରମିକ ପ୍ରତିନିଧି ଟଙ୍କଧର ଗୈାଡ, ଡମାଇ ମାଝୀ, ସନାତନ ସାହୁ, ଲକ୍ଷ୍ମୀ ହନ୍ତାଳ, ଲତା ଖରା, ନନ୍ଦ ହରିଜନ, ସୁକାନ୍ତି ଗୈ।ଡ଼, ସାବିତ୍ରୀ ମାଝୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ପବନ/ପ୍ରଦୀପ୍ତ/ସମନ୍ୱୟ
