ଭୁବନେଶ୍ୱର, 12 ଫେବୃଆରୀ – ୬ ଦଫା ଦାବି ନେଇ ପୁଣି ବିକ୍ଷୋଭକୁ ଓହ୍ଲାଇଛନ୍ତି ବ୍ୟାଙ୍କସଖୀମାନେ । ୨୦୨୦ ମସିହା ମାର୍ଚ୍ଚ ମାସରେ ରାଜ୍ୟ ସରକାର ପ୍ରତି ପଂଚାୟତରେ ବ୍ୟାଙ୍କ ସଖୀମାନଙ୍କୁ ନିଯୁକ୍ତି ଦେଇଥିଲେ । ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଘରକୁ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ଏହି ଯୋଜନା କରାଯାଇଥିଲା । ନଭେମ୍ବର୨୭, ୨୦୨୩ରେ ଓଡ଼ିଶା ସରକାରଙ୍କ ତରଫରୁ ପଂଚାୟତରେ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି । ସମ୍ପୂର୍ଣ୍ଣ ଯୋଗ୍ୟତା ଥିବା ବ୍ୟାଙ୍କ ସଖୀମାନଙ୍କୁ ‘ଆମ ବ୍ୟାଙ୍କ’ ଯୋଜନାରେ ନିଯୁକ୍ତି ଦେବା, ସବୁ ପଂଚାୟତରେ ‘ଆମ ବ୍ୟାଙ୍କ’ ଖୋଲିବା ଏବଂ ସମସ୍ତ ବ୍ୟାଙ୍କ ସଖୀ (ବି.ସି.ଏ) ମାନଙ୍କୁ ନିକଟତମ ‘ଆମ ବ୍ୟାଙ୍କ’ରେ ନିଯୁକ୍ତି ଦେବା, ବ୍ୟାଙ୍କ ସଖୀମାନଙ୍କୁ ୧୦ ହଜାର ଟଙ୍କା ପ୍ରତି ମାସରେ ପ୍ରୋତ୍ସାହନ ଭତା ଦେବା, ବ୍ୟାଙ୍କ ସଖୀମାନଙ୍କୁ ମିଶନ ଶକ୍ତିରେ କ୍ୟାଡ଼ରଭୁକ୍ତ କରିବା, ବ୍ୟାଙ୍କ ସଖୀମାନଙ୍କୁ ମହାସଂଘ ବୈଠକରେ ଯୋଗ ଦେବାକୁ ସୁଯୋଗ ଦେବା, ସୁବିଧାରେ କାର୍ଯ୍ୟ କରିବା ପାଇଁ ବ୍ୟାଙ୍କ ସଖୀମାନଙ୍କୁ ପ୍ରତି ପଂଚାୟତରେ ଘର ଏବଂ ଆବଶ୍ୟକ ଆସବାବ ପତ୍ର ଯୋଗାଇଦେବା, ବ୍ୟାଙ୍କ ସଖୀମାନଙ୍କ ପାଇଁ ଡ୍ରେସ୍ କୋଡ୍ ର ବ୍ୟବସ୍ଥା ପ୍ରଚଳନ କରିବା ଆଦି ୬ ଦଫା ଦାବିରେ ବ୍ୟାଙ୍କ ସଖୀମାନଙ୍କର ସୋମବାର ଦିନ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ ଛକରେ ଏକ ରାଜ୍ୟସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭରେ ୨୨ଟି ଜିଲ୍ଲାରୁ ୬୦୦ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ସଖୀମାନେ ଯୋଗ ଦେଇଥିଲେ । ଏହା ପରେ ଏକ ୫ଜଣିଆ ପ୍ରତିନିଧି ଦଳ ମିଶନ ଶକ୍ତି ନିର୍ଦ୍ଦେଶିକାଙ୍କ ସହିତ ଏ ବିଷୟରେ ଆଲୋଚନା କରିଥିଲେ । ନିର୍ଦ୍ଦେଶିକା ଦାବିଗୁଡ଼ିକୁ ସହୃଦୟତାର ସହ ଗ୍ରହଣ କରି ଏକ ସପ୍ତାହ ମଧ୍ୟରେ ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
