ବଲାଙ୍ଗିର, ୧ ଡିସେମ୍ବର (ହି.ସ.)- ଆଜି ବିଶ୍ଵ ଏଡ଼ସ୍ ଦିବସ ଅବସରରେ ସାରା ବିଶ୍ଵରେ ସଚେତନତା ନିମନ୍ତେ ବିଶ୍ଵ ଏଡ଼ସ୍ ଦିବସ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପକ୍ଷରୁ ମଧ୍ୟ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରୁ ଛାତ୍ରନେତା ସୁମନ ନନ୍ଦଙ୍କ ନେତୃତ୍ଵରେ ଛାତ୍ରଛାତ୍ରୀମାନଙ୍କ ଏକ ବିଶାଳ ସଚେତନତା ର୍ୟାଲି ବାହାରିଥିବା ବେଳେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ । ଏହି ସଚେତନତା ରାଲି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଛି ।
ଦିନକୁ ଦିନ ଦେଶରେ ତଥା ଆମ ରାଜ୍ୟରେ ଏଡ଼ସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ସଚେତନତା ରାଲି ଜନସାଧାରଣଙ୍କୁ ବେଶ୍ ସଚେତନ କରିପାରିବ ବୋଲି ଆୟୋଜକ ମାନେ ଆଶା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
