କେନ୍ଦ୍ରାପଡ଼ା, ୨୬ ଡିସେମ୍ବର(ହି.ସ.) – ଓଡ଼ିଶା ସରକାରଙ୍କ ଓରମାସ(ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ) ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୫ ଦିନିଆ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଓ କୃଷି ଯନ୍ତ୍ରପାତି ମେଳା ମଙ୍ଗଳବାର ସଂନ୍ଧ୍ୟାରେ କେନ୍ଦ୍ରାପଡା କଲେଜ ପଡିଆରେ ଉଦ୍ଘାଟିତ ହୋଇ ଯାଇଛି । ରାଜ୍ୟ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ତଥା ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଗ୍ରାମାଂଚଳର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ, କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ ତଥା ଆଂଚଳିକ ଉତ୍ପାଦ ଗୁଡିକ ଏହିଭଳି ମେଳା ମାନଙ୍କରେ ବିପଣନର ସୁଯୋଗ ପାଇବା ସହ ସେହି ସବୁ ଶିଳ୍ପରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପ୍ରୋତ୍ସାହିତ କରି ଉପାର୍ଜନର ମାଧ୍ୟମକୁ ପ୍ରଶକ୍ତ କରାଇଥାଏ । ରାଜ୍ୟ ସରକାର ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଉପରେ ଗୁରୁତ୍ୱ ଦେଇ ଗ୍ରାମାଂଚଳର ଆର୍ଥିକ ବିକାଶ ଘଟାଇବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବାରୁ ଅଧିକରୁ ଅଧିକ ସଂଖ୍ୟକ ବ୍ୟକ୍ତି ଏହି ମେଳାର ସୁଯୋଗ ନେବା ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଜିଲ୍ଲା କୃଷି ଅଧିକାରୀ ଡ଼ଃ ମନୋଜ କୁମାର ଚାନ୍ଦ, ଅରବିନ୍ଦ ଦାସ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଉପ ଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲ ପ୍ରମୁଖ ମଂଚାସୀନ ରହି ବକ୍ତବ୍ୟ ରଖିଥିଲେ । ଏହି ମେଳାରେ ସମୁଦାୟ ୨୦୦ଟି ଷ୍ଟଲ ପାଇଁ ବ୍ୟବସ୍ଥା କରା ଯାଇଥିବା ବେଳେ ସେଥିରେ ଓରମାସର ୧୫୦ ଓ କୃଷି ଯନ୍ତ୍ରପାତି ପାଇଁ ୫୦ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜ୍ୟ ସ୍ତରୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ ଓ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
…………………………………/ବନ୍ଦନା
