ଭୁବନେଶ୍ୱର,୧୩ ଡିସେମ୍ବର – ୭ ଦଫା ଦାବି ପୂରଣ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଥମ ପର୍ଯ୍ୟାୟରେ (ବୁଧବାର) ଠାରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ମଣ୍ଡିଚାଲ ଅଭିଯାନ ଆହ୍ୱାନ ଦିଆଯାଇଛି ।
ମଙ୍ଗଳବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଉଭୟ ବିପେପି ଓ ବିଜେଡ଼ି ସରକାରର ଶାସନକାଳରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ, ଚାଷ ବିପର୍ଯ୍ୟସ୍ତ । ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଉନାହିିଁ । ୩୫ ପ୍ରତିଶତ ଜଳସେଚନ କେବଳ ଧୂଆଁବାଣ । କେନ୍ଦ୍ର ସରକାର ତୁରନ୍ତ ଧାନ କ୍ୱିଂଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି ଓ ଏମ.ଏସ୍.ପି.କୁ ଆଇନଗତ ଗ୍ୟାରେଂଟି, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଧାନ କ୍ୱିଂଟାଲରେ ଚାଷୀଙ୍କୁ ୬୦୦ଟଙ୍କା ବୋନସ୍, କଟ୍ନୀ ଛଟ୍ନୀ ସମ୍ପୂର୍ଣ୍ଣ ବନ୍ଦ, ଲଘୁଚାପ ଜନିତ ବର୍ଷାଦ୍ୱାରା ରଙ୍ଗ ବିହୀନ ହୋଇଥିବା ସବୁଧାନକୁ କ୍ରୟ, ପ୍ରତି ମଣ୍ଡିରେ ସିସି କ୍ୟାମେରା ସଂଯୋଗ ଓ ଧାନ ଉଠାଇବା ବ୍ୟତୀତ ମିଲରକୁ ମଣ୍ଡି ନିଷେଧ, ପ୍ରଚଳିତ କୃଷି ଇନପୁଟ୍ ସବସିଡ୍ର ଦେଢ଼ଗୁଣା ବୃଦ୍ଧି ଓ ରିଲିଫ୍ କୋର୍ଡର ସଂଶୋଧନ, ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଚ୍ଛା ୨୫ ହଜାର ଟଙ୍କା କ୍ଷତି ପୂରଣ ସହାୟତା ଓ ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ କୃଷିଋଣ ଛାଡ଼ ଓ ଭାଗଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଓ ଆଇନଗତ ମାନ୍ୟତା ଆଦି୭ ଦଫା ଦାବୀ ପୂରଣ କରିବା ପାଇଁ କଂଗ୍ରେସ ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଡିସେମ୍ବର ୧୩ ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ କିଷାନ କଂଗ୍ରେସ ପକ୍ଷରୁ ମଣ୍ଡିଚାଲ ଅଭିଯାନ ଯୋରଦାର କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସରକାରଙ୍କ ଚାଷୀମାରଣ ନୀତିର ତୀବ୍ର ପ୍ରତିବାଦ କରିବା ସହ ସରକାର ଚାଷୀଙ୍କ ହକ୍ ପୂରଣ ନ କଲେ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
