ଶିଲଙ୍ଗ, ୬ ଜାନୁଆରୀ (ହି.ସ.)- ମେଘାଳୟର ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ତୁରାରେ ଜାନୁଆରୀ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୫ତମ ମେଘାଳୟ ଗେମ୍ସର ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ପାଇଁ ତୁରାରେ ଏହି ଗେମ୍ସ ଆୟୋଜିତ ହେବାକୁ ଯାଉଛି।
ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ କେ. ସଙ୍ଗମା ଶନିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି । ସାମାଜିକ ଗଣମାଧ୍ୟମ ଜରିଆରେ ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଉପସ୍ଥିତି ରାଜ୍ୟର ଯୁବକମାନଙ୍କୁ ଉତ୍ସାହିତ କରିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଗେମ୍ସରେ ତିନି ହଜାର କ୍ରୀଡ଼ାବିତ୍ ୨୨ ପ୍ରକାରର ଖେଳରେ ଅଂଶଗ୍ରହଣ କରିବେ । ଏହି ଗେମ୍ସରେ ପ୍ରଥମ ଥର ପାଇଁ ଖାସୀ, ଜୟନ୍ତିଆ ଏବଂ ଗାରୋ ଜନଜାତି ମାନଙ୍କର ପାରମ୍ପରିକ ଖେଳକୁ ସାମିଲ୍ କରାଯାଇଛି । ରାଜ୍ୟ ସରକାର ଏହି କ୍ରୀଡ଼ା ପାଇଁ ୨୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଯୋଗାଇଛନ୍ତି । ଏହି କ୍ରୀଡ଼ା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
