ସମ୍ବଲପୁର, ବହୁ ପ୍ରତିକ୍ଷୀତ ବିଜେପିର ବିଧାନସଭା ନିର୍ବାଚନୀ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଜିଲ୍ଲାର ୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜବରଦସ୍ତ ଖୁସିର ମାହୋଲ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ମାନଙ୍କ ସମର୍ଥକ ଓ ବିଜେପି କର୍ମୀ ମହଲରେ ଉତ୍ସାହର ପର୍ବ ପାଳନ ହୋଇଥିବା ବେଳେ ଅନେକ ସ୍ଥାନରେ ବାଣ ଫୁଟାଇ ଓ ମିଷ୍ଟାନ୍ନ ବଣ୍ଟନ କରି ପ୍ରାର୍ଥୀ ମାନଙ୍କୁ ସ୍ୱାଗତ କରାଯାଇଛି।
ପ୍ରକାଶ ପାଇଥିବା ତାଲିକାରେ ସମ୍ବଲପୁର ଜିଲ୍ଲାର ୪ ବିଧାନସଭା ଆସନରେ ୨୦୧୯ର ସମସ୍ତ ବିଧାନସଭା ପ୍ରାର୍ଥୀ ଓ ବିଧାୟକ ନିଜ ନିଜ ଆସନ ବଳବତ୍ତର ରଖିଛନ୍ତି। ଜିଲ୍ଲାର ଗୁରୁତ୍ୱପୂଣ୍ଣ ସହର ସମ୍ବଲପୁରରେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି।ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ତାଙ୍କ ସ୍ଥାନରେ ନୂଆ ଚେହେରାର ଆବିର୍ଭାବ ହେବା ନେଇ ପ୍ରକାଶ ପାଉଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଜୟନାରାୟଣଙ୍କୁ ଟିକଟ ମିଳିବା ପରେ ତାଙ୍କ ଉପରେ ବିଜେପି ନିଜର ଆସ୍ଥା ରଖିଥିବା ସ୍ପଷ୍ଟ ହୋଇଛି। ସେହିପରି ରେଙ୍ଗାଲି ଆସନରେ ବିଧାୟକ ନାଉରୀ ନାୟକ ନିଜ ଆସନରେ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି। ସୂଚନାଯୋଗ୍ୟ ଗତ ୨୦୧୯ ସାଧାରଣ ନିର୍ବାଚନରେ ଅଳ୍ପ କିଛି ଭୋଟ ବ୍ୟବଧାନରେ ବିଜେଡିର କିଶୋର ନାଏକଙ୍କ ଠାରୁ ପରାସ୍ତ ହୋଇଥିବା ପୁର୍ବତନ ବିଧାୟକ ରବି ନାରାୟଣ ନାଏକ ଚଳିତ ନିର୍ବାଚନରେ ପୁଣି ଥରେ କୁଚିଣ୍ଡାରୁ ଲଢ଼ିବେ। ଗତ ନିର୍ବାଚନରେ ରେଢାଖୋଲରୁ ବିଜେପି ପ୍ରାର୍ଥୀ ଥିବା ଦେବେନ୍ଦ୍ର ମହାପାତ୍ର ମଧ୍ୟ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଥିବା ସମସ୍ତ ୪ ଜଣ ପ୍ରାର୍ଥୀଙ୍କ ଉପରେ ବିଜେପି ଆସ୍ଥା ପ୍ରକଟ କରିଛନ୍ତି । ମାତ୍ର ବିଜେପି ପ୍ରାର୍ଥୀ ଭାବେ ବହୁ ଆଶାୟୀ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି କରିଥିଲେ ମଧ୍ୟ ସମସ୍ତେ ପ୍ରାୟ ନିରାଶ ହୋଇଛନ୍ତି।
