
ବଲାଣି, ୨୦ ଫେବୃଆରୀ – କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(ସିଆଇଏସଏଫ) ବଲାଣି ୟୁନିଟ ଆନୁକୂଲ୍ୟରେ ସ୍ଥାନୀୟ ଭଳିବଲ ଷ୍ଟାଡିୟମରେ ୨ ଦିନିଆ ଦିବା ରାତ୍ର ଆନ୍ତଃ ଖଣି ଭଳିବଲ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସିଆଇଏସଏଫ ଗୁଆ ୟୁନିଟ, ସିଆଇଏସଏଫ ମେଘାହାତୁବୁରୁ ୟୁନିଟ, ସିଆଇଏସଏଫ ବଲାଣି ୟୁନିଟ ଓ ସେଲ୍ ଆର ଏସ୍ ପି ବଲାଣି ଖଣି ଭଳି ୪ଟି ଦଳ ଭାଗ ନେଇଥିଲେ । ଲିଗ ଆଧାର ରେ ଖେଳା ଯାଇଥିବା ଏହି ପ୍ରତିଯୋଗିତାରେ ସେଲ୍ ଆର ଏସ୍ ପି ବଲାଣି ଖଣି ଦଳ ସମସ୍ତ ମ୍ୟାଚ ରେ ବିଜୟ ଲାଭ କରି ପଏଣ୍ଟ ଟେବଲ ରେ ଶୀର୍ଷ ରେ ରହି ସିଧାସଳଖ ଫାଇନାଲ କୁ ଉନ୍ନୀତ ହୋଇଥିଲେ । ସେହିଭଳି ସିଆଇଏସଏଫ ଗୁଆ ୟୁନିଟ ଦ୍ଵିତୀୟ ସ୍ଥାନରେ ରହି ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଥିଲା । ପ୍ରତିଯୋଗିତାର ଫାଇନାଲରେ ସେଲ୍ ଆର ଏସ୍ ପି ବଲାଣି ଖଣି ଦଳ ସିଆଇଏସଏଫ ଗୁଆ ଦଳ କୁ ସିଧାସଳଖ ୩-୦ ସେଟ୍ ରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥଲା । ଏହି ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଆଇଏସଏଫ ଏରିଆ କମାଣ୍ଡାଣ୍ଟ ରଭି ଶର୍ମା ଉପସ୍ଥିତ ରହି ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ । ଉଦ୍ଯାପନୀ ଓ ପୁରସ୍କାର ବିତରଣ ଉତ୍ସବରେ ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ଜୟଦେବ ଚଟ୍ଟୋପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବଲାଣି ଖଣିର ମହାପ୍ରବନ୍ଧକ(ପ୍ରୋଜେକ୍ଟ) ରାହୁରାଜ ମଣ୍ଡଳ, ଉପମହାପ୍ରବନ୍ଧକ(ଖଣି) ବିଭୁତି ନାରାୟଣ ସିଂହ, ସିଆଇଏସଏଫ ବଲାଣି ୟୁନିଟର ଡେପୁଟି କମାଣ୍ଡାଣ୍ଟ ରମେଶ ରାଜା, ସିଆଇଏସଏଫ ଗୁଆ ୟୁନିଟର ଡେ଼ପୁଟି କମାଣ୍ଡାଣ୍ଟ ରାକେଶ ଚନ୍ଦନ ଓ ମେଘାହାତୁବୁରୁ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆର ତେଜସ ସୁରେଶ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ । /ସମନ୍ୱୟ
