
ପୁରୀ, ୧୨ ଡ଼ିସେମ୍ବର (ହି.ସ.)- କୃଷି ଓ କୃଷକର ବିକାଶ ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ଏହାର ସଫଳତା ପାଇଁ କୃଷକ ମାନଙ୍କୁ ସଚେତନ ଓ ସହଯୋଗ କରାଯାଉଛି । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ପୁରୀ ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଚଳିତ ମାସ ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଶରଧାବାଲି ଠାରେ ଅନୁଷ୍ଠିତ ହେବ ।
ଏଥିରେ କୃଷକ ମାନଙ୍କୁ ବିଭିନ୍ନ ଆଧୁନିକ ଯନ୍ତ୍ରପାତିର ପ୍ରଦର୍ଶନ, ତାହାର ଉପଯୋଗ ଓ ଆଗ୍ରହୀ କୃଷକ ମାନଙ୍କୁ ବିକ୍ରୟର ବ୍ୟବସ୍ଥା କରାଯାଇଛି । ମେଳାରେ ପ୍ରାୟ ୪୫ ଟି ଷ୍ଟଲ ହେବା ସହ କୃଷକ ମାନଙ୍କ ସହ ଆଲୋଚନାଚକ୍ର, ସେମାନଙ୍କ ସମସ୍ୟା, ଆବଶ୍ୟକତା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବ । ଚଳିତ ବର୍ଷ ଜିଲ୍ଲା ପାଇଁ ପ୍ରାୟ ୧୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରୟର ଲକ୍ଷ୍ୟ ରଖାଯାଇଛି । ଏହି ମେଳାରେ ପ୍ରତିଦିନ ୧୦୦ ଜଣ ଅଗ୍ରଣୀ ଚାଷୀ ମାନଙ୍କ ସହ ଆଲୋଚନା ଓ ମେଳା ପରିଦର୍ଶନର ବ୍ୟବସ୍ଥା କରାଯାଇଛି । ପ୍ରତି ବ୍ଲକରୁ କୃଷି ଓ ଆନୁଷଙ୍ଗିକ ବିଭାଗର ୫ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା କରାଯିବ । ଚଳିତ ବର୍ଷ ଜିଲ୍ଲା ପାଇଁ କୃଷି ଯନ୍ତ୍ରପାତି ବିକ୍ରୟର ଧାର୍ଯ୍ୟ ଲକ୍ଷ୍ୟ ୧୦ କୋଟି ମଧ୍ୟରୁ ବର୍ତମାନ ସୁଦ୍ଧା ୮ କୋଟି ୬୮ ଲକ୍ଷ ଟଙ୍କାର ଯନ୍ତ୍ରପାତି ବିକ୍ରୟ ହୋଇଥିବା ବେଳେ ଚଳିତ ମେଳାରେ ଏହାର ଲକ୍ଷ୍ୟ ପୂରଣ ହୋଇପାରିବ । କୃଷି ଯନ୍ତ୍ରପାତିରେ ପୁରୁଷ ଚାଷୀ ମାନଙ୍କ ପାଇଁ ଶତକଡା ୪୦ ଭାଗ, ମହିଳା ଚାଷୀଙ୍କୁ ୫୦ ଭାଗ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୭୫ ଭାଗ ରିହାତି ରହିଛି । ପ୍ରତ୍ୟହ ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ
