ଭୁବନେଶ୍ୱର, ୦୩ ଡିସେମ୍ବର (ହି.ସ.)- ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ଔଷଧ ଦୋକାନରୁ ପ୍ରତାରଣାତ୍ମକ ଓ ବିଭ୍ରାନ୍ତିକର ଛାପା ଥିବା ଓ.ଆର.ଏସ ପ୍ୟାକେଟ ଚିହ୍ନଟ ଓ ଫେରସ୍ତ ଅଭିଯାନ ଆରମ୍ଭ କରିଛନ୍ତି । ଏ ବିଷୟରେ ସୂଚନା ଦେଇ ଡ୍ରଗ୍ସ କେଂଟ୍ରାଲର ମାମିନା ପଟ୍ଟନାୟକ କହିଛନ୍ତି, “ଓରାଲ୍ ରିହାଇଡ୍ରେସନ୍ ସଲ୍ଟ୍ ଓ ତରଳ ପାନୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କ ଦ୍ୱାରା ସୁପାରିଶ ଫର୍ମୁଲା ଅନୁସାରେ ପ୍ରସ୍ତୁତ ହେବା ଆବଶ୍ୟକ । ଏଗୁଡିକ ଲାଇସେନ୍ସ ପ୍ରାପ୍ତ ଉତ୍ପାଦକଙ୍କ ଦ୍ୱାରା ତିଆରି ହୁଏ ଓ ସାଧାରଣତଃ ଔଷଧ ଦୋକାନରେ ବିକ୍ରୟ ହୁଏ । ବର୍ତମାନ ବଜାରରେ କିଛି ତରଳ ପାନୀୟ ପ୍ୟାକେଟ୍ ଓ.ଆର.ଏସ/ଇଲେକ୍ଟ୍ରୋଲାଇଟ ବୋଲି ଭ୍ରମ ସୃଷ୍ଟିକାରୀ ଛାପା ଓ ପ୍ୟାକେଟ ବିକ୍ରୟ ହେଉଥିବା ଦେଖାଯାଉଛି । ଏଗୁଡିକ ଡିହାଇଡ୍ରେସନ୍ ପରିଚାଳନା ପାଇଁ ଉପଯୁକ୍ତ ନୁହେଁ। ଏଗୁଡିକ ସାଧାରଣତଃ ଏଫଏସଏସଏଆଇ ପ୍ରମାଣପତ୍ରରେ ବିକ୍ରୟ ହୁଏ, ଯାହା ଡାକ୍ତରୀ ଚିକିତ୍ସାତ୍ମକ ଡିହାଇଡ୍ରେସନ୍ ପାଇଁ ଉପଯୋଗୀ ନୁହେଁ।”
ଡ୍ରଗ୍ସ କେଂଟ୍ରାଲ୍ ନିର୍ଦ୍ଦେଶାଳୟର ଅଧିକାରୀମାନେ ଗତ ଦୁଇ ସପ୍ତାହ ଧରି ଏହି ବିଭ୍ରାନ୍ତିକର ପ୍ୟାକେଟ୍ ଗୁଡିକୁ ଚିହ୍ନଟ କରି ଔଷଧ ଦୋକାନରୁ ଫେରସ୍ତ ନିମନ୍ତେ ବିଶେଷ ଅଭିଯାନ ଚଲାଇଛନ୍ତି । ପ୍ରାପ୍ତ ତଥ୍ୟରୁ ଜଣାପଡିଛି, ଆଜି ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହିପରି ପ୍ରାୟ ୭.୯୨ ଲକ୍ଷ ପ୍ୟାକେଟ ଔଷଧ ଦୋକାନରୁ ଫେରସ୍ତ (ରିକଲ) କରାଯାଇଛି । ଏଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା । ସ୍ୱାସ୍ଥ୍ୟ ବିଭାଗଙ୍କ ଦ୍ୱାରା ସ୍ପଷ୍ଟ କରିଦିଆଯାଇଛି ଯେ ଏହି ଅଭିଯାନ ଚାଲୁ ରହିବ ଓ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଭ୍ରମ ସୃଷ୍ଟିକାରୀ ପ୍ୟାକେଟ୍ ଔଷଧ ଦୋକାନରେ ରଖିବା କିମ୍ବା ବିକ୍ରୟ ନ କରିବାକୁ ଔଷଧ ଡିଲର ଏବଂ ଖୁଚୁରା ଦୋକାନୀମାନଙ୍କୁ ସତର୍କ କରାଇ ଦିଆଯାଇଛି ।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
