ବଲାଣି୨୦ ମାର୍ଚ୍ଚ (ହି.ସ) – ସୀମାନ୍ତ ଖଣି ଅଞ୍ଚଳ ବଲାଣିରେ ବଲାଣି ଓଡ଼ିଆ ପରିବାର ପକ୍ଷରୁ ବୁଧବାର ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବଲାଣି ଖଣି ଡାକ୍ତରଖାନାର ସହ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମାୟା ମାଝୀ ଯୋଗଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ବଲାଣି ଡାକ୍ତରଖାନାର ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ତଥା ବଲାଣି ଡାକ୍ତରଖାନାର ମୁଖ୍ୟ ଡା.ଟି ସୋରେନ, ସାମାଜିକ ସଂଗଠନ ବସୁନ୍ଧରାର ନିର୍ଦ୍ଦେଶକ ବିବେକାନନ୍ଦ ନନ୍ଦ ଓ ବରିଷ୍ଠ ନାଗରିକ ବୈଦ୍ୟନାଥ ଜେନା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଡା. ସୋରେନ ଓଡ଼ିଆ ଲୋକଙ୍କ ନିତି ଦିନିଆ ଜୀବନ ସହ ପଖାଳ କିପରି ଭାବେ ଜଡିତ ଓ ଏହାର ଉପକାରୀତା ସମ୍ବନ୍ଧରେ ମତ ବ୍ୟକ୍ତ କରିଥିଲେ । ସମ୍ମାନୀୟ ଅତିଥି ଶ୍ରୀ ନନ୍ଦ ପଖାଳକୁ ବିଶ୍ୱ ଖାଦ୍ୟ ଦରବାର ରେ ପହଞ୍ଚାଇବା ସହିତ ଜି.ଆଇ ଟ୍ୟାଗ୍ କିପରି ମିଳିପାରିବ ଓ ଏହା ସହିତ ଓଡ଼ିଶାର ପାରମ୍ପାରିକ ଖାଦ୍ୟର ପ୍ରଚାର ପ୍ରସାର ହୋଇ ପାରିବ ସେ ନେଇ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଡା. ମାୟା ମାଝୀ ପଖାଳ କିପରି ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପାଲଟିଛି ସେ ନେଇ ମତ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇଥିବା ୬୦ରୁ ଉର୍ଦ୍ଧ୍ଵ ମହିଳା ଓଡ଼ିଶାର ପାରମ୍ପରିକ ବସ୍ତ୍ର ଶାଢ଼ୀ ଓ ପୁରୁଷ ମାନେ ଧୋତି କୁର୍ତ୍ତା କିମ୍ବା କୁର୍ତ୍ତା ପାୟଜାମା ପରିଧାନ ପିନ୍ଧି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ର ଦ୍ବିତୀୟ ପର୍ଯ୍ୟାୟରେ କଂସାରେ ଦହି ପଖାଳ ସହିତ ଓଡ଼ିଶାର ପାରମ୍ପାରିକ ଆମିଷ ଓ ନିରାମିଷ ଖାଦ୍ୟ ପଦାର୍ଥ ଯଥା ଶାଗ ଖରଡ଼ା, ବାଇଗଣ ବିଲାତି ପୋଡା, ବଡି ଚୁରା, ଆଳୁ ଭର୍ତ୍ତା, ଚୁନା ମାଛ ଭଜା,ରୋହୀ ମାଛ ଭଜା ଆଦି ଅନ୍ୟାନ୍ୟ ପାରମ୍ପରିକ ଖାଦ୍ୟ ପଦାର୍ଥ ଅତି ଭବ୍ୟ ଭାବରେ ପରଷା ଯାଇଥିଲା । ସମସ୍ତ ଅଂଶ ଗ୍ରହଣକାରୀ ପାରମ୍ପରିକ ରୀତିରେ ଆସନରେ ବସି ଖାଦ୍ୟ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ କୁ ରୂପକ କୁମାର ଦାସ, କୁନା ମହାନ୍ତି, ବାପୁ ଜେନା, ବାବୁ ନାୟକ, ବସନ୍ତ ଗିରି ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିବା ବେଳେ ରାଜେନ୍ଦ୍ର ଖଟୁଆ ଓ ପଦ୍ମଲୋଚନ ଦଳେଇ ସଭା ପରିଚାଳନା କରିବା ରେ ସହଯୋଗ କରିଥିଲେ ।
