
ପୁରୀ, ୨୯ ଅକ୍ଟୋବର (ହି.ସ.)- ଆଜି ଠାରୁ ଆରମ୍ଭ ହୋଇଛି ହବିଷ୍ୟାଳୀଙ୍କ ପବିତ୍ର କାର୍ତିକ ବ୍ରତ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ହବିଷ୍ୟାଳୀ ମାନଙ୍କ ଆଗମନ ହୋଇଛି । କାର୍ତିକ ବ୍ରତ ପାଇଁ ହବିଷ୍ୟାଳୀ ମାନେ ପୁରୀରେ ଏକ ମାସ ଧରି ଅବସ୍ଥାନ କରିବେ । ଆଜି ସଂକଳ୍ପ କରି ଏହି ବ୍ରତ ଆରମ୍ଭ କରିଛନ୍ତି ହବିଷ୍ୟାଳୀ । ବ୍ରତ କାଳରେ ହବିଷ୍ୟାଳୀମାନେ ରାଧାଦାମୋଦରଙ୍କ ପୂଜା କରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୀରେ ୫ଟି ହବିଷ୍ୟାଳୀ କେନ୍ଦ୍ରରେ ୩ ହଜାରରୁ ଉର୍ଦ୍ଧ୍ଵ ହବିଷ୍ୟାଳୀଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଏହା ବ୍ୟତୀତ ବିଭିନ୍ନ ମଠବାଡି, ଭଡ଼ାଘରେ ଏବଂ ସମ୍ପର୍କୀୟଙ୍କ ଘରେ ହବିଷ୍ୟାଳୀ ମାନେ ପହଂଚିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଆଜି ସଂନ୍ଧ୍ୟା ସାଢ଼େ ୬ଟା ସମୟରେ ବୃନ୍ଦାବତୀ ନିବାସରେ ହବିଷ୍ୟାଳୀ କାର୍ତିକ ବ୍ରତ-୨୦୨୩ ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
