ଚମ୍ପୁଆ, ୨୮ ଅକ୍ଟୋବର (ହି.ସ.) – ପ୍ରକାଶ ପାଇଛି ଚିଠା ଭୋଟର ତାଲିକା କ୍ଷ ତେବେ ଏହି ତାଲିକା ପୂର୍ବାପେକ୍ଷା ୦.୯୪ % ବୃଦ୍ଧି ପାଇ ଓଡ଼ିଶାର ମୋଟ ଭୋଟରଙ୍କ ସଂଖ୍ୟା ଯାଇ ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ ରେ ପହଂଚିଛି । ଏଥିରେ ତ୍ରୁଟି ବିଚ୍ୟୁତି ସଂଶୋଧନ କରାଯାଇ ଚୂଡାନ୍ତ ତାଲିକା ୫ ଜାନୁଆରୀ ୨୦୨୪ରେ ପ୍ରକାଶ ପାଇବ । ଚିଠା ଭୋଟର ତାଲିକାରେ ତ୍ରୁଟି ବିଚ୍ୟୁତି ସଂଶୋଧନ ସହିତ ନୂତନ ଭାବେ ୧୮ ବର୍ଷରେ ପଦାର୍ପଣ କରୁଥିବା ଯୁବକ ଯୁବତୀ ମାନଙ୍କୁ ଭୋଟର ଲିଷ୍ଟରେ ନାମ ପଞ୍ଜୀକରଣ କରିବା ନିମନ୍ତେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଚମ୍ପୁଆ ଠାରେ ଉପ ଜିଲ୍ଲାପାଳ ସୁକାନ୍ତ ମାଝୀଙ୍କ ପୌରହିତ୍ୟରେ ଭୋଟର ଲିଷ୍ଟ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବାବଦରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ପଦଯାତ୍ରାର ଆୟୋଜନ କରା ଯାଇଥିଲା । ଉପ ଜିଲ୍ଲାପାଳଙ୍କ କର?୍ୟ୍ୟାଳୟରୁ ବାହାରିଥିବା ଏହି ପଦଯାତ୍ରାରେ ବିଭିନ୍ନ ବିଭାଗର ଅଧିକାରୀ, କଲେଜ ଛାତ୍ରଛାତ୍ରୀ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଶତାଧିକ ସ୍ଥାନୀୟ ଲୋକ ଚାଲି ନେହେରୁ ଷ୍ଟାଡିୟମ ଯାଏଁ ଯାଇଥିଲେ । ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର?୍ୟ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମାଝୀ ଉଦବୋଧନ ଦେଇ ବିଶ୍ୱର ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ଗଣତାନ୍ତ୍ରିକ ଦେଶ ଭାରତକୁ ଆହୁରି ସଶକ୍ତ କରିବା ପାଇଁ ଭୋଟ ଦେବାର ମହତ୍ୱ ବଖାଣି ଥିଲେ ଏବଂ ଭୋଟର ଲିଷ୍ଟରେ ନାମ ଚଢେଇବା ତଥା ଅନ୍ୟାନ୍ୟ ତ୍ରୁଟି ବିଚ୍ୟୁତି ସଂଶୋଧନ ପାଇଁ ଏହି ସ୍ୱତନ୍ତ୍ର ଅଭିଯାନର ଫାଇଦା ନେବା ପାଇଁ ଆହ୍ୱାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲାପାଳ ସୁଶ୍ରୀ ଶର୍ମିଷ୍ଠା ସାହୁ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜା ରଞ୍ଜିତ ବଳ, ଅତିରିକ୍ତ ତହସିଲଦାର ପ୍ରତୀକ୍ଷା ପ୍ରିୟଦର୍ଶିନୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ ପିଙ୍ଗୁଆ ଉପସ୍ଥିତ ଥିଲେ । ପରିଶେଷରେ ଅନ୍ୱେଷା ହଷ୍ଟେଲ ଅନ୍ତେବାସୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ/ସମନ୍ୱୟ
