






















ମାଲକାନଗିରି, ୯ ଜାନୁଆରୀ (ହି.ସ.)-କୋରାପୁଟ ଜିଲ୍ଲାର ଜୟପୁର, କଳାହାଣ୍ଡି ଜିଲ୍ଲାର ଉତ୍କେଲା, ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଏବଂ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ପରେ ଏବେ ଆକାଶ ପଥରେ ଯୋଡିହେଲା ମାଲକାନଗିରି ।
ସ୍ବାଭିମାନ ଅଞ୍ଚଳକୁ ଆକାଶପଥରେ ସଂଯୋଗ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଠାରେ ନୂତନ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ମଧ୍ୟ ମାଲକାନଗିରି ଆସିଥିଲେ । ଏହାଛଡ଼ା ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମାଲକାନଗିରି ଠାରେ ନିର୍ମାଣ ହୋଇଥିବା ନୂତନ ବିମାନବନ୍ଦର ଶୁଭାରମ୍ଭ ହେବାପରେ ଜିଲ୍ଲାବାସୀଙ୍କ ସ୍ବପ୍ନ ପୂରଣ ହୋଇଛି।ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଟର୍ମିନାଲ-୨ ପରିଦର୍ଶନ କରିଛନ୍ତି।
ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହଜାର ହଜାର ସଂଖ୍ୟାରେ ଲୋକ ଉଦଘାଟନ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଆସିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିଶାଲ ସିଂ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ।
ଚଉଦ ମାସରେ ଏହି ବିମାନବନ୍ଦର କାମ ଶେଷ ହୋଇଛି । ନିର୍ମାଣ ହୋଇଥିବା ବିମାନବନ୍ଦର ଟେଣ୍ଡର ପ୍ରକ୍ରିୟାରେ ଜୟପୁର ତାରାତାରିଣୀ କନଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡ୍ କାମ ପାଇଥିଲା। ଜମି ଅଧିଗ୍ରହଣ ହୋଇସାରିଥିବା ବେଳେ ୨୦୨୨ ମସିହା ନଭେମ୍ବର ୧ ତାରିଖରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ଅକ୍ଟୋବର ୩୧ ତାରିଖରେ କାମ ଶେଷ ସମୟ ରହିଥିଲା। କିନ୍ତୁ ତାହାକୁ ଚଳିତ ମାସରେ ଶେଷ କରିଥିଲେ। ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଗତ ବର୍ଷ ମାର୍ଚ୍ଚ ମାସରେ ମାଲକାନଗିରି ଏୟାରପୋର୍ଟ ଗସ୍ତ କରି ନୂତନ ବର୍ଷ ପୂର୍ବରୁ କାମ ଶେଷ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବିମାନବନ୍ଦର ପାଇଁ ୫୪.୧୫ କୋଟି ଟଙ୍କା ବ୍ୟୟରେ ୧୪ ମାସରେ ନିର୍ମାଣ ହୋଇଛି।
ହିନ୍ଦୁସ୍ଥାନସମାଚାର /ଶିବବ୍ରତ /ସ୍ୱାଗତିକା/ସମନ୍ୱୟ
