ନୂଆଦିଲ୍ଲୀ, 22 ଡିସେମ୍ବର (ହି.ସ.)ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଲୋକସଭାରେ ପ୍ରେସ୍ ଏବଂ ପତ୍ରିକା ପଞ୍ଜୀକରଣ ବିଧେୟକ, ୨୦୨୩ ପାରିତ ହୋଇଛି, ଯାହାକି ଉପନିବେଶ କାଳର ପ୍ରେସ୍ ଏବଂ ପୁସ୍ତକ ପଞ୍ଜୀକରଣ ଆଇନ, ୧୮୬୭ର ସ୍ଥାନରେ ଲାଗୁ ହେବ। ଏଥିପୂର୍ବରୁ ମୌସୁମୀ ଅଧିବେଶନରେ ନୂଆ ବିଧେୟକ ରାଜ୍ୟସଭାରେ ପାରିତ ହୋଇସାରିଥିଲା।
ନୂତନ ବିଧେୟକ – ପ୍ରେସ୍ ଏବଂ ପତ୍ରିକା ପଞ୍ଜୀକରଣ ବିଧେୟକ , ୨୦୨୩ କୌଣସି ଶାରୀରିକ ଉପସ୍ଥିତିର ଆବଶ୍ୟକତା ନଥାଇ ଏକ ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ପତ୍ରିକାର ନାମ ଆବଣ୍ଟନ ଏବଂ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ ଏବଂ ସମାନ୍ତରାଳ କରିବାର ସୁବିଧା ପ୍ରଦାନ କରିବ । ଏହା ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସକ୍ଷମ କରିବ, ଯାହା ଦ୍ୱାରା ପ୍ରକାଶକମାନେ, ବିଶେଷକରି କ୍ଷୁଦ୍ର ଏବଂ ମଧ୍ୟମ ପ୍ରକାଶକମାନେ ପ୍ରକାଶନ ଆରମ୍ଭ କରିବାରେ ସାମାନ୍ୟତମ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରକାଶକମାନଙ୍କୁ ଆଉ ଜିଲ୍ଲାପାଳ କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଏକ ଘୋଷଣାପତ୍ର ଦାଖଲ କରିବାକୁ ପଡିବ ନାହିଁ ଏବଂ ଏଭଳି ଘୋଷଣାକୁ ପ୍ରମାଣିତ କରିବାକୁ ପଡିବ ନାହିଁ । ଏହାବ୍ୟତୀତ, ପ୍ରିଣ୍ଟିଂ ପ୍ରେସଗୁଡିକୁ ମଧ୍ୟ ଏଭଳି କୌଣସି ଘୋଷଣାପତ୍ର ଦାଖଲ କରିବାକୁ ପଡିବ ନାହିଁ; ଏହା ପରିବର୍ତ୍ତେ କେବଳ ଏକ ସୂଚନା ଯଥେଷ୍ଟ ହେବ । ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ବର୍ତ୍ତମାନ ୮ଟି ପଦକ୍ଷେପ ଅନ୍ତର୍ଭୁକ୍ତ ଥିଲା ଏବଂ ଯଥେଷ୍ଟ ସମୟ ଖର୍ଚ୍ଚ ହୋଇଥିଲା।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରି କହିଛନ୍ତି ଯେ ଏହି ବିଲ୍ ଦାସତ୍ୱର ମାନସିକତାକୁ ଦୂର କରିବା ଏବଂ ନୂତନ ଭାରତ ପାଇଁ ନୂତନ ଆଇନ ଆଣିବା ଦିଗରେ ମୋଦୀ ସରକାରଙ୍କ ଆଉ ଏକ ପଦକ୍ଷେପକୁ ପ୍ରତିଫଳିତ କରୁଛି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଅପରାଧର ଅନ୍ତ ଘଟାଇବା, ବ୍ୟବସାୟ କରିବାରେ ସୁଗମତା ଏବଂ ନୂତନ ଆଇନ ମାଧ୍ୟମରେ ସହଜ ଜୀବନଯାପନକୁ ପ୍ରୋତ୍ସାହନ ଦେବା ସରକାରଙ୍କ ପ୍ରାଥମିକତା ହୋଇଛି। ଔପନିବେଶିକ ଯୁଗର ଆଇନକୁ ଯଥେଷ୍ଟ ଅପରାଧମୁକ୍ତ କରିବା ପାଇଁ ମଧ୍ୟ ପ୍ରୟାସ କରାଯାଇଛି । କେତେକ ଉଲ୍ଲଂଘନ ପାଇଁ ପୂର୍ବ ଭଳି ଦୋଷୀ ସାବ୍ୟସ୍ତ ହେବା ପରିବର୍ତ୍ତେ ଆର୍ଥିକ ଜରିମାନା ପ୍ରସ୍ତାବ ଦିଆଯାଇଛି । ଏହାବ୍ୟତୀତ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ବିଶ୍ୱସନୀୟ ଆପିଲେଟ୍ ବ୍ୟବସ୍ଥା କରାଯାଇଛି। ବ୍ୟବସାୟ କରିବାର ସୁଗମତା ଦିଗ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଠାକୁର କହିଥିଲେ ଯେ ନାମ ବା ଟାଇଟଲ୍ ପଞ୍ଜୀକରଣ ପ୍ରକ୍ରିୟା, ଯାହା ପାଇଁ ପୂର୍ବରୁ ୨-୩ ବର୍ଷ ଲାଗୁଥିଲା, ଏବେ ତାହା ୬୦ ଦିନରେ ହୋଇଯିବ।
୧୮୬୭ର ଏହି ଆଇନ ବ୍ରିଟିଶ ରାଜର ଏକ ଐତିହ୍ୟ ଥିଲା ଯାହାର ଉଦ୍ଦେଶ୍ୟ ଥିଲା ଖବରକାଗଜ ଏବଂ ପୁସ୍ତକର ମୂଦ୍ରାକାର ଏବଂ ପ୍ରକାଶକଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ସହିତ ବିଭିନ୍ନ ଉଲ୍ଲଂଘନ ପାଇଁ ଜେଲ ଦଣ୍ଡ ସମେତ କଠୋର ଜରିମାନା ଲାଗୁ କରିବା । ଆଜିର ସ୍ୱାଧୀନ ପ୍ରେସ୍ ଯୁଗରେ ଏବଂ ଗଣମାଧ୍ୟମର ସ୍ୱାଧୀନତା ବଜାୟ ରଖିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏଭଳି ଏକଚ୍ଛତ୍ରବାଦୀ ଆଇନ ବର୍ତ୍ତମାନର ଗଣମାଧ୍ୟମ ପରିଦୃଶ୍ୟରେ ଉଚିତ୍ ନୁହେଁ ବୋଲି ଅନୁଭୂତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
