ପୁରୀ, ୧୨ ଜାନୁଆରୀ (ହି.ସ.)- ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳା ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ମଧୁସୂଦନ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣ ଯୋଜନା ସଂପର୍କରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ଲିଡ୍ ବ୍ୟାଙ୍କ ର ଜିଲ୍ଲା ଅଧିକାରୀ କିଶୋର କୁମାର ଆଚାର୍ଯ୍ୟ, ଜିଲ୍ଲା ସ୍ବାସ୍ଥ୍ୟ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ପ୍ରଧାନ, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର କଳାକାରମାନଙ୍କୁ ସୂଚନା ଓ ଶିକ୍ଷା ଦେଇଥିବା ବେଳେ ରାଜ୍ୟ ସାଧନ ପୁରୁଷ ଵଦ୍ରି ମିଶ୍ର ଓ ଜିଲ୍ଲା କଳାକାର ମଞ୍ଚର ଉପସଭାପତି ବସନ୍ତ ପ୍ରଧାନ ଲୋକକଳା ପରିବେଷଣ ସଂପର୍କରେ କଳାକାରମାନଙ୍କୁ ତାଲିମ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ପରିଚାଳନା ଓ ସଂଯୋଜନା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା।
ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ
