ନୂଆପଡ଼ା, ୧୪ ଜାନୁଆରୀ (ହି.ସ.)- ଜୀବନ କେବେ ଫୁଲ ପରି ସୁଗନ୍ଧିତ ତ କେତେବେଳେ କଂଟା ପରି ଯନ୍ତ୍ରଣା ଦାୟକ । ଏହି ଯେମିତି ପ୍ରିୟବ୍ରତଙ୍କ ଜୀବନ । ଦିନେ ମଂଚରେ ଅଭିନୟ କରି, ନାଟକ ନିର୍ଦ୍ଦେଶନା ଦେଇ ପ୍ରଶଂସା ସାଉଁଟୁ ଥିବା, କବିତା ପଢ଼ି କରତାଳି ପାଉଥିବା ମଣିଷ ଆଜି ନୀରବ ପାଲଟି ଯାଇଛି । ଏତେ ବଡ଼ ଦୁନିଆରେ ସାହା କହିଲେ ବୃଦ୍ଧା ମାଆ । ନୂଆପଡ଼ା ଜିଲା ବୋଡ଼େନ ବ୍ଲକର କରଙ୍ଗାମାଲ ଗାଆଁ । ଏହି ଗାଁର ପ୍ରିୟବ୍ରତ ପଣ୍ଡା ଓରଫ ଛୋଟୁ ପଣ୍ଡା, ବୟସ ୪୧ ବର୍ଷ ଏବେ ମରି ମରି ବଂଚୁଛନ୍ତି । ଦୁରାରୋଗ୍ୟ କ୍ୟାନସର ପ୍ରତି ମୁହୂର୍ତରେ କଲବଲ କରି ତାଙ୍କୁ ମାରୁଛି । ବାପା ବିଘ୍ନରାଜ ପଣ୍ଡା ୧୯୯୬ ରେ ମୃତ୍ୟୁବରଣ କରିଥିବା ବେଳେ ବୃଦ୍ଧା ମାଆ ସରସ୍ଵତୀ ପଣ୍ଡାଙ୍କ ଭରସାରେ ବଂଚିଛନ୍ତି ପ୍ରିୟବ୍ରତ । ପ୍ରିୟବ୍ରତଙ୍କ ଶିକ୍ଷାଗତ ଯୋଗ୍ୟତା ଏମଏ (ହିନ୍ଦୀ) ବି ଇ ଡି । ସେ ଜଣେ ଭଲ ଅଭିନେତା ସହ ନାଟ୍ୟ ନିର୍ଦ୍ଦେଶନା ଦେଉଥିଲେ । ବିଭିନ୍ନ ସାହିତ୍ୟ ଆସରରେ କବିତା ପଢ଼ି ଶ୍ରୋତାଙ୍କ ମନ କିଣି ନେଉଥିଲେ । ସେଥିପାଇଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି, ଏବେ କିନ୍ତୁ ତାହା ସବୁ ଇତିହାସ ହୋଇ ଗଲାଣି ।
ଦିନେ ସଉକିରେ ଖାଉଥିବା ଗୁଟଖା ତାଙ୍କ ପାଇଁ କାଳ ସାଜିଲା । ୨୦୧୪ ରେ ତାଙ୍କ ପାଟି ଭିତରେ ଛୋଟିଆ ଘା ଟିଏ ଦେଖାଦେଲା । ପରୀକ୍ଷା ପରେ ତାହା କ୍ୟାନସର ବୋଲି ଜଣାପଡିଲା । କର୍ଣ୍ଣାଟକ ଓ ରାଜସ୍ଥାନର ଆୟୁର୍ବେଦିକ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ସେ ଆରୋଗ୍ୟ ଲାଭ କରିଥିଲେ । ଓଏସଟିଏଫରୁ ତାଙ୍କୁ ସହଯୋଗ ମଧ୍ୟ ମିଳିଥିଲା । ସ୍ଵାଭାବିକ ଜୀବନ ଜିଉଁଥିବା ପ୍ରିୟବ୍ରତଙ୍କ ଭାଗ୍ୟରେ ବୋଧହୁଏ ସୁଖ ଲେଖା ନଥିଲା । ୨୦୧୯ ମସିହାରେ ସେ ବାଇକ ଦୁର୍ଘଟଣାର ଶୀକାର ହୋଇଥିଲେ । ବାଇକ୍ ଚଲାଇବା ସମୟରେ ସବୁବେଳେ ହେଲମେଟ ପିନ୍ଧିଥିବା ପ୍ରିୟ ଦୁର୍ଘଟଣାର କିଛି ସମୟ ପୂର୍ବରୁ ହେଲମେଟ ଖୋଲି ଦେଇଥିଲେ । ଏହା ହିଁ ତାଙ୍କ ପାଇଁ କାଳ ସାଜିଲା । ଦୁର୍ଘଟଣାରେ ତାଙ୍କ ମୁହଁରେ ଗୁରୁତର ଆଘାତ ହେଲା । କରୋନା କଟକଣା ଯୋଗୁଁ ସେ ଚିକିତ୍ସା ପାଇଁ ଯାଇ ପାରିଲେ ନାହିଁ । ୨୦୨୦ ଜୁଲାଇ କୋଡ଼ିଏ ତାରିଖରେ ତାଙ୍କ କ୍ୟାନସର ବଢ଼ି ଯାଇଥିବା କହି ରାୟପୁରର ବାଲକୋ ହସ୍ପିଟାଲରେ ଜିଭ ଓ ଖାଦ୍ୟ ନଳୀ କାଟି ଦିଆଯାଇଥିଲା । ସେହିଦିନ ଠାରୁ ସେ ଆଉ ପାଟିରେ ଖାଇ ପାରୁ ନାହାନ୍ତି । ତାଙ୍କୁ ନାକରେ ନଳୀ ଲଗାଇ ତରଳ ଖାଦ୍ୟ ଦିଆଯାଉଛି । ସେ ଠାରନାର କରି କଥା ହେଉଥିବା ବେଳେ ତାଙ୍କ ମାଆ ହିଁ ତାହା ବୁଝି ପାରନ୍ତି । ସାଙ୍ଗ ସାଥୀ ଆସିଲେ ଲେଖିକି କାଗଜରେ ନିଜ କଥା ଜଣାନ୍ତି । ଏବେ ଦୃଷ୍ଟି ଶକ୍ତି ମଧ୍ୟ କମି ଆସିଲାଣି । ମାଆ ସରସ୍ଵତୀ ବୃଦ୍ଧା ବୟସରେ ଯୁବକ ପୁଅର ସ୍ନାନ ଶୌଚ ଠାରୁ ସବୁ କର୍ମ କରୁଛନ୍ତି । ହେଲେ ସେ ଏବେ ପାଚିଲା ପତର, କେତେବେଳେ ହୁଏତ ଝଡି ପଡ଼ିବେ । ତାଙ୍କ ପରେ ପୁଅ କଥା କିଏ ବୁଝିବ ଏଇ ଚିନ୍ତାରେ ଆଖିରେ ନିଦ ନାହିଁ କି ପେଟରେ ଭୋକ ନାହିଁ । ପ୍ରିୟବ୍ରତଙ୍କ ଔଷଧ ଖର୍ଚ୍ଚ ପାଇଁ ପ୍ରତି ମାସରେ ଦଶ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୁଏ । କେବେ କେବେ ସ୍ଵାସ୍ଥ୍ୟ ଖରାପ ହେଲେ ଗାଡ଼ି ଭଡ଼ା କରି ରାୟପୁର ନେବାକୁ ପଡେ । ସେହି ମାସରେ କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ ହୋଇଯାଏ । ତାଙ୍କ ପାଖରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ୍ କାର୍ଡ ଥିଲେ ମଧ୍ୟ ତାହାର ଫାଇଦା ମିଳୁନି । ପୂର୍ବରୁ ଦୁଇ ଏକର ଜମି ବିକି ପୁଅର ଚିକିତ୍ସା କରାଇଥିବା ମାଆ ସରସ୍ଵତୀ ଏବେ ପୁଣି ୭୫ ଡିସିମିଲ ଜମି ବିକିଛନ୍ତି ଆବାସ ଯୋଜନାରେ ପାଇଥିବା ଘର ପାଖରେ ଆଉ ଖଣ୍ଡେ ଘର ତୋଳିବା ପାଇଁ। କାରଣ ଗୋଟିଏ କୋଠରୀ ଘରରେ ମାଆ ପୁଅ ରହିବା ପାଇଁ ଅସୁବିଧା ହେଉଛି । ପ୍ରିୟ ଓ ତାଙ୍କ ମାଆଙ୍କୁ ପ୍ରତିମାସରେ ସାତ ଶହ ଟଙ୍କା ଲେଖାଏଁ ଭତା ମିଳେ । ମାସିକ ମିଳୁଥିବା ୩୫ କିଲୋଗ୍ରାମ ଚାଉଳ ଓ ଏହି ଭତା ଟଙ୍କା ତାଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ପରି । ତାଙ୍କ ପରିବାର କ୍ଷୁଦ୍ର ଚାଷୀ ହେଲେ ମଧ୍ୟ କାଳିଆ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ସାମିଲ ହୋଇ ପାରି ନାହାନ୍ତି । କେବେ କେବେ ସମ୍ପର୍କୀୟଙ୍କ ସହଯୋଗରେ ବଂଚିବାକୁ ପଡେ । ପୁଅର ଔଷଧ ଖର୍ଚ୍ଚ ସହ ସରକାରୀ ସହଯୋଗ ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି । ଏନେଇ ବୋଡ଼େନ ସ୍ଵାସ୍ଥ୍ୟକେନ୍ଦ୍ରର ଇନ୍ ଚାର୍ଜ ଡାକ୍ତର ସଂଜୀବ କୁମାର ନାଏକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ମାଗଣା ଔଷଧର ବ୍ୟବସ୍ଥା କରିବେ ବୋଲି କହିଥିଲେ । ବୋଡ଼େନ ବିଡ଼ିଓ ପ୍ରିୟରଞ୍ଜନ କୁମାର ତାଙ୍କୁ ସରକାରୀ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି । ଦେଖାଯାଉ ସେମାନେ ତାଙ୍କ ପ୍ରତିଶ୍ରୁତି କେବେ ରଖୁଛନ୍ତି ।
ଗୁଟଖା ବର୍ତମାନର ଯୁବ ପୀଢ଼ି ପାଇଁ ମରଣ ଯନ୍ତା ପାଲଟିଥିବା ବେଳେ ସରକାର ଏହାର ବିକ୍ରି ଉପରେ କଟକଣା ଲାଗୁ କରି ପାରୁ ନାହାନ୍ତି । ଫଳରେ ଏହା ମୁଖ କ୍ୟାନସର ପରି ମାରାତ୍ମକ ବ୍ୟାଧିରେ ଲୋକଙ୍କୁ ସଂକ୍ରମିତ କରୁଛି । ଯାହାର ପ୍ରକୃଷ୍ଟ ଉଦାହରଣ ହେଲେ ପ୍ରିୟବ୍ରତ । ବେଳ ହୁଁ ସତର୍କ ନହେଲେ ଦିନେ ଏହା ଅନେକ ପରିବାରର ଆର୍ଥିକ ଦୁଃସ୍ଥିତିର କାରଣ ପାଲଟିବ ।
ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ପ୍ରଦୀପ୍ତ/ସମନ୍ୱୟ
