ଭୁବନେଶ୍ୱର, 21 ନଭେମ୍ବର (ହି.ସ.) – ଭୁବନେଶ୍ୱର ଲୋୟର ପିଏମ୍ଜି ନିକଟରେ ମଙ୍ଗଳବାର ଅନୁଷ୍ଠିତ ଡ. ହରେକୃଷ୍ଣ ମହତାବ ଜୟନ୍ତୀ ସମାରୋହ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କଳିଙ୍ଗକେଶରୀଙ୍କ ଜୟନ୍ତୀରେ ସମସ୍ତ ଓଡ଼ିଶାବାସୀଙ୍କୁ ଜାଗ୍ରତ ହୋଇ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଛନ୍ତି । ଡ. ହରେକୃଷ୍ଣ ମହତାବ ଥିଲେ ନବ ଉତ୍କଳର ନିର୍ମାତା ଓ ସ୍ଥପତି । ଗଡ଼ଜାତ ରାଜ୍ୟଗୁଡ଼ିକୁ ମିଶ୍ରଣ କରିବାରେ ତାଙ୍କର ଭୂମିକା ଥିଲା ଅନନ୍ୟ ଓ ଅନ୍ୟତମ । ସ୍ୱାଧୀନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ କାର୍ଯ୍ୟର ପଟାନ୍ତର ନଥିଲା । ତାଙ୍କ କାର୍ଯ୍ୟକାଳରେ ଓଡ଼ିଶାର ରୂପରେଖ ବଦଳିଥିଲା ଓ ଓଡ଼ିଶାର ବହୁବିଧ ବିକାଶ ହୋଇଥିଲା ।
ଛାତ୍ରସମୟରେ ଦେଶକୁ ସ୍ୱାଧୀନ ଭାବରେ ଦେଖିବା ପାଇଁ ସ୍ନାତକ ପଢ଼ା ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ସାମିଲ୍ ହୋଇ ସ୍ୱାଧୀନଚେତନାର ବାର୍ତା ସାଧାରଣ ଲୋକମାନଙ୍କ ପାଖରେ ପାଖରେ ପହଂଚାଇଥିଲେ । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମର ଲଢ଼େଇରେ ଅନେକବାର କାରାବରଣ ଭୋଗିଥିଲେ । ମହତାବ ଇଂରେଜମାନଙ୍କ ବିରୋଧରେ ଲଢ଼େଇ କରିବା ପାଇଁ ଲୋକମାନଙ୍କ ଭିତରେ ଜାଗରଣ ସୃଷ୍ଟି କରିବା ପାଇଁ ପ୍ରଜାତନ୍ତ୍ର ନାମକ ଦୈନିକ ସମ୍ବାଦପତ୍ର ପକାଶ କରିଥିଲେ । ସ୍ୱାଧୀନତା ପରେ ଏହା ଲୋକପ୍ରିୟତା ହାସଲ କରିବା ସଂଗେ ସଂଗେ ଶାସନର ଦୁର୍ନୀତି ଓ ଭ୍ରଷ୍ଠାଚାରକୁ ପଦାରେ ପକାଇବାରେ ଅସ୍ତ୍ର ସଦୃଶ କାର୍ଯ୍ୟ କରୁଥିଲା ବୋଲି ରାଜ୍ୟପାଳ ଉକ୍ତ ସଭାକୁ ସମ୍ବୋଧନ ଦେଇଥିଲେ ।
ମହତାବ ତାଙ୍କର ରାଜନୈତିକ ଜୀବନ ବ୍ୟତୀତ ସାହିତ୍ୟ, ସଂସ୍କୃତିର ବିକାଶ ଓ ସୁରକ୍ଷା ଦିଗରେ ଅନେକ କାର୍ଯ୍ୟ କରିଛନ୍ତି ଯାହାକି ତାଙ୍କୁ ଓଡ଼ିଶାବାସୀ ସବୁଦିନ ପାଇଁ ମନେରଖିବେ । ଓଡ଼ିଶା ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଓ ଓଡ଼ିଶାରେ ନୂଆ ନୂଆ ଲେଖକଙ୍କୁ ତିଆରି କରିବା ପାଇଁ ସେ ‘ଝଙ୍କାର’ ସାହିତ୍ୟ ପତ୍ରିକା ପ୍ରକାଶ କରୁଥିଲେ ଓ ସାହିତ୍ୟିକମାନଙ୍କୁ ଏକାଠି କରିବା ପାଇଁ ବାର୍ଷିକ ବିଷୁବ ମିଳନ ଉତ୍ସବ ପ୍ରସ୍ତୁତ କରୁଥିଲେ । ଏତଦ୍ ବ୍ୟତୀତ ଶୀଳ୍ପ, ବାଣିଜ୍ୟ, ସଂସ୍କୃତିର ବିକାଶ ପାଇଁ ସେ ଥିଲେ ଓଡ଼ିଆଙ୍କ ଯୁଗପୁରୁଷ ବୋଲି ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉକ୍ତ ଉତ୍ସବରେ ବିଭିନ୍ନ ସ୍ଥାନରୁ ଢ଼ାଲ, ତଲୱାରଧରି ପାରମ୍ପାରିକ ବେଶପୋଷାକରେ ଆସିଥିବା ଶହ ଶହ ପାଇକମାନଙ୍କୁ ରାଜ୍ୟପାଳ ସେମାନଙ୍କ ପୂର୍ବପୂରୁଷଙ୍କ ଗୌରବ, ବୀରତ୍ୱ ଓ ଦିଗ୍ବିଜୟର କାହାଣୀ ବିଷୟରେ ମନେପକାଇଥିଲେ ଓ ତାଙ୍କୁ ସେମାନଙ୍କ ପରି ଅନ୍ୟାୟ ଓ ଅନୀତି ବରୋଧରେ ଲଢ଼େଇ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଉକ୍ତ ଉତ୍ସବରେ ରାଜ୍ୟପାଳଙ୍କ ସମେତ ସମିତିର ସାଧାରଣ ସଂପାଦକ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ବିଧାୟକ ଦିଲ୍ଲୀପ୍ ଶ୍ରୀଚନ୍ଦନ, କମିଟି ସଭ୍ୟବୃନ୍ଧ ଓ ଶତାଧିକ ମହାତାବ ପ୍ରେମୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
