

ବଲାଙ୍ଗିର, ୧୯ ଅଗଷ୍ଟ (ହି.ସ.)- ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କିତ ଗ୍ରାମପଞ୍ଚାୟତ ସ୍ତରୀୟ ପାରସ୍ପରିକ ବାର୍ତ୍ତାଳାପ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଗତକାଲି ଥେମରା ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଆରକ୍ଷୀ ଅଧିକ୍ଷକ ଅବିଳାଷ ଜି, ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ତରୁଣ ସୁନା, ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅଧିକାରୀଗଣ ସ୍ଥାୟୀ ରୋଜଗାର ବ୍ୟବସ୍ଥା ଓ ଯୋଜନା, ଶ୍ରମିକ ମାନଙ୍କ ସମସ୍ୟାର ସମାଧାନ, ଉନ୍ନୟନମୂଳକ କାର୍ଯ୍ୟପନ୍ଥା, କର୍ମ ନିଯୁକ୍ତି ଶିକ୍ଷା ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ, ସ୍ୱଳ୍ପ କାଳୀନ ଛାତ୍ର/ଛାତ୍ରୀବାସ, ବିଭିନ୍ନ ସରକାରୀ ଯୋଜନାରେ ରହିଥିବା ସୁଧଛାଡ଼ ଋଣ ଉପଲବ୍ଧତା, ବସୁନ୍ଧରା ଯୋଜନାରେ ଗୃହ ଉପଯୋଗୀ ବାସଗୃହ, ସରକାରଙ୍କ ଜନ ମଙ୍ଗଳ ଯୋଜନାରେ କାର୍ଯ୍ୟକାରିତା କରୁଥିବା ବିଭିନ୍ନ ବିଭାଗ ଯଥା ପଂଚାୟତିରାଜ, କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପଶୁସମ୍ପଦ, ଜଳସେଚନ, ଜଙ୍ଗଲ ବିଭାଗରେ ହେଉଥିବା ସମସ୍ତ ଜୀବନଜୀବିକା ନିର୍ବାହ କାର୍ଯ୍ୟକ୍ରମ ବା ଯୋଜନା ବାବଦରେ ଉପସ୍ଥିତ ଥିବା ଗ୍ରାମବାସୀ ମାନଙ୍କ ସହ ବାର୍ତ୍ତାଳାପ ମାଧ୍ୟମରେ ଯୋଜନା ଗୁଡିକର ସବିଶେଷ କାର୍ଯ୍ୟକାରିତା ତଥା ଯୋଜନା ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ
