ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ଚାଷ ଓ ଚାଷୀ ସମସ୍ୟାର ଆଶୁ ସମାଧାନ ଓ ବର୍ତମାନର କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ଉଭୟ ସରକାରର ଚାଷୀମାରଣ ନୀତି ବିରୁଦ୍ଧରେ କିଷାନ କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଛରିଆଗଡ଼ ଓ ରାୟଗଡ଼ା ଜିଲ୍ଲାର ଉତକାପାଡ଼ୁ ଗ୍ରାମରେ କିଷାନ ମହାପଂଚାୟତ ଅନୁଷ୍ଠିତ ହୋଇଯାଇଛି । ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ବିଭିନ୍ନ ମଣ୍ଡି ପରିଦର୍ଶନ କରି ଆଦିବାସୀ ଗ୍ରାମ ଉତ୍କାପାଡ଼ୁଠାରେ ଆୟୋଜିତ ଚାଷୀ ସମାବେଶରେ ମୋଦୀ ଓ ନବୀନ ସରକାରର ଚାଷୀ ମାରଣ ନୀତିକୁ ତୀବ୍ର ନିନ୍ଦା କରିବା ସହିତ ଧାନ ଓ କପାଚାଷୀଙ୍କର ବର୍ତମାନ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । କୋରାପୁଟ ସାଂସଦ ସପ୍ତଗିରୀ ଉଲାକା ସରକାରଙ୍କ ଚାଷ ଓ ଚାଷୀର ବିକାଶ ସ୍ଲୋଗାନ କେବଳ ପ୍ରଚାର ଓ ପ୍ରସାର ସର୍ବସ୍ୱ ହୋଇଛି ବୋଲି କହିଥିଲେ ।
ସାରା ରାଜ୍ୟରେ ଧାନର ଅଭାବୀ ବିକ୍ରି ସହିତ କପାର ମଧ୍ୟ ଅହେତୁକ ଅଭାବୀ ବିକ୍ରି ବଢ଼ିଚାଲିଛି । ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ପ୍ରଭୃତି ଜିଲ୍ଲାରେ କପାଚାଷୀ ଉତ୍ପାଦନ ଖର୍ଚ୍ଚର ମୂଲ୍ୟ ପାଇବାରୁ ବଂଚିତ । ବିଭିନ୍ନ ଆଳ ଦେଖାଇ ମଣ୍ଡିରେ ଚାଷୀଙ୍କୁୁ ଠକାଯାଉଛି । ସିସିଆଇ କପାର ଯେଉଁ ଦର ଧାର୍ଯ୍ୟ କରିଛନ୍ତି ତାହା ମଧ୍ୟ ଚାଷୀ ପାଉନାହିଁ । ଫଳରେ କପା କ୍ୱିଂଟାଲ ପିଚ୍ଛା ୪ ରୁ ୫ ହଜାର ଟଙ୍କା ଚାଷୀ କ୍ଷତି ସହୁଛି । ବହୁ କପାଚାଷୀଙ୍କ ଜମିଜମା ସମ୍ବନ୍ଧୀୟ କାଗଜପତ୍ର ସେମାନଙ୍କ ଉତରାଧିକାରୀଙ୍କ ନାମରେ ଥିବାରୁ ବିଭିନ୍ନ ଆଳ ଦେଖାଇ ମଣ୍ଡିରେ କପା କିଣା ଯାଉନାହିଁ । ବିଭିନ୍ନ ଅଂଳରେ ଉତରାଧିକାରୀଙ୍କ ନାମ ଦର୍ଶାଇବାକୁ ହେଲେ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ୫୦୦ରୁ ୧୦୦୦ଟଙ୍କା ଲାଂଚ ଦେବାକୁ ପଡ଼ୁଛି । ଏପରି ସ୍ଥଳେ କୃଷି ବିଭାଗ ଓ ଜିିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା ରହିଥିବାରୁ କିଷାନ ମହାପଂଚାୟତରେ ଗଭୀର କ୍ଷୋଭ ପ୍ରକାଶ ପାଇଛି ।
ଅନୁରୂପ ଭାବେ ଅମଳ ଧାନର ୨୦ ପ୍ରତିଶତ ବେପାରୀ ଅଣ୍ଡର ରେଟରେ ଚାଷୀଙ୍କଠାରୁ କିଣିନେବା ପରେ ମଣ୍ଡି ଖୋଲା ଯାଉଛି । ମଣ୍ଡିମାନଙ୍କରେ ମିଲର ମାନଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି । ସରକାର ଧାନ କିଣିବା ପରିବର୍ତେ ମିଲର ମାଧ୍ୟମରେ ସଲା ସୁତୁରାରେ ଧାନ କିଣାଯାଉଛି । ସେହିପରି ଚାଷୀର ଉତ୍ପାଦିତ ପନିପରିବା ପ୍ରଭୃତି ସଂରକ୍ଷଣ ପାଇଁ ଶୀତଳଭଣ୍ଡାରଟିଏ ନାହିଁ । ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଜଳସେଚନ ବ୍ୟବସ୍ଥା ନ ଥିବା ହେତୁ ଚାଷ ପାଇଁ ଚାଷୀ ଅହେତୁକ ଫସଲ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
