ନୂଆଦିଲ୍ଲୀ, ୧୪ ଫେବୃଆରୀ – କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା କହିଛନ୍ତି ଯେ, ସ୍ୱାମୀନାଥନ ଆୟୋଗର ସୁପାରିଶ ନାମରେ ମୋଦୀ ସରକାର କେବଳ ଚାଷୀଙ୍କୁ ପ୍ରତାରଣା କରିଛନ୍ତି ।
ବୁଧବାର ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖେଡ଼ା କହିଛନ୍ତି ଯେ, ସ୍ୱାମୀନାଥନ୍ ଆୟୋଗର ୨୦୧ଟି ସୁପାରିଶ ରହିଛି, ସେଥି ମଧ୍ୟରୁ ସଂୟୁକ୍ତ ପ୍ରଗତିଶୀଳ ଗଠବନ୍ଧନ (ୟୁପିଏ) ସରକାର ୧୭୫ଟି ସୁପାରିଶ କାର୍ଯ୍ୟକାରୀ କରିଛନ୍ତି । ଏଥିରେ ୨୬ଟି ସୁପାରିଶ ବାକି ରହିଲା । ଏଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସମ୍ବନ୍ଧୀୟ ଘୋଷଣା । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଘୋଷଣା କରିଛନ୍ତି ।
ଖେଡ଼ା କହିଛନ୍ତି ଯେ, ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ଏମଏସପି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେ ଏହାକୁ ସମ୍ପୂର୍ଣ୍ଣ କରୁନାହାଁନ୍ତି । ଏମଏସପି ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆଫିଡାଭିଟ ଦାଖଲ କରାଯାଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆମେ ଏହି ପ୍ରକାରର ଏମଏସପି ଦେଇ ପାରିବୁ ନାହିଁ ଯେଉଁଥିରେ ଇନପୁଟ ମୂଲ୍ୟ ଏତେ ଅଧିକ ।
