ଭୁବନେଶ୍ୱର, 12 ଫେବୃଆରୀ – ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜର ଜଣେ ଦ୍ୱିତୀୟ ବର୍ଷ ଏମବିବିଏସ ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଦୁଇଜଣ ସିନିୟର ଛାତ୍ର ମାଡ଼ ମାରିବା ସହ ରାଗିଂ କରିଥିବା ନେଇ ପୀଡ଼ିତ ଛାତ୍ରଙ୍କ ବାପା ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ରାଗିଂର ଶିକାର ହୋଇଥିବା ଛାତ୍ର ଜଣକ ବାଲେଶ୍ୱର ସୁନାହାଟ ଅଂଚଳର । ଗତ ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ହେଉଥିବା ବ୍ୟାଣ୍ଡପାର୍ଟି ଅଭ୍ୟାସ କାର୍ଯ୍ୟକ୍ରମକୁ ସେ ଯାଇଥିଲେ । ଅଭ୍ୟାସ ପରେ ୨ ଜଣ ସିନିୟର ଛାତ୍ରଙ୍କ ଅନୁରୋଧ ରଖି ସେ ସେମାନଙ୍କୁ ସ୍ଥାନୀୟ ପୁଲିସ୍ ଫାଣ୍ଡି ନିକଟରେ ଛାଡିଥିଲେ । ହେଲେ କୌଣସି କାରଣକୁ ନେଇ ସେଠାରେ ଉପସ୍ଥିତ ଥିବା ଏମବିବିଏସ ୪ର୍ଥ ବର୍ଷରେ ପଢୁଥିବା ୨ ଜଣ ସିନିୟର ଛାତ୍ର ତାଙ୍କୁ ମାଡ ମାରିଥିଲେ । ଏଥିରେ ସମ୍ପୃକ୍ତ ଛାତ୍ରଙ୍କ ବେକ ଓ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ ଡଏମଇଟି ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି କଲେଜ ଡିନ୍ ଙ୍କ ଦ୍ୱାରା ଗଠନ ହୋଇଥିବା ୪ ଜଣିଆ ଟିମ୍ ତଦନ୍ତ କରୁଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀରେ ଆଉ ଏକ ଟିମ୍ ଗଠନ ହୋଇଛି । ଯାହା ରିପୋର୍ଟ ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ । ଆମ ପାଖକୁ ବି ରିପୋର୍ଟ ଆସିବ, ଆମେ ରାଜ୍ୟସରକାରଙ୍କୁ ଜଣାଇବୁ । ରାଂଗି ନହେବା ନେଇ କଲେଜରେ ସମସ୍ତ ପଦକ୍ଷେପ ନିଆଯାଉଛି ।
