ଭୁବନେଶ୍ୱର, 8 ଫେବୃଆରୀ – ଗଣତନ୍ତ୍ର ବ୍ୟବସ୍ଥାକୁ ହତ୍ୟା କରି ସଚିବାଳୟର ତୃତୀୟ ମହଲାରୁ ରାଜ୍ୟର ସବୁ ପଂଚାୟତକୁ ଆୟତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ଓଡ଼ିଶାର ଗଣତନ୍ତ୍ରର ହତ୍ୟା କିଭଳି ହେଉଛି ତାହା ମଧ୍ୟ ଲୋକଲୋଚନକୁ ଆସିଛି । ଓଡ଼ିଶାରେ ଅମଲାତନ୍ତ୍ର ଶାସନ ଚାଲିଛି, ଗଣତନ୍ତ୍ରର ଶାସନ ଚାଲିନାହିଁ । ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କୌଣସି ପ୍ରାଧାନ୍ୟ ଦିଆଯାଉନାହିଁ । ସରପଂଚମାନଙ୍କ କ୍ଷମତା ହ୍ରାସ ପାଇବା କାରଣରୁ ଗ୍ରାମାଂଚଳରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ବ୍ୟାପକ ମାତ୍ରାରେ ଟଙ୍କା ହଡପ୍ କରାଯାଉଛି । ନିର୍ବାଚିତ ପ୍ରତିନିଧିମାନଙ୍କ ବିକାଶମୂଳକ ପ୍ରସ୍ତାବକୁ ଗ୍ରହଣ ନକରି ଦଳୀୟ ଆଧାରରେ କାର୍ଯ୍ୟ କରାଯିବାକୁ ସ୍ଥାନୀୟ ବିଡିଓଙ୍କ ସମେତ ଅନେକ ସରକାରୀ ଅଧିକାରୀ ସହଯୋଗ ମଧ୍ୟ କରୁଛନ୍ତି । ଭତା, ରାସନକାର୍ଡ, ଜିପିଡିପି ବାଧାପ୍ରାପ୍ତ ହେଉଛି । ଏ ନେଇ ସରପଂଚଙ୍କ ସମେତ ଅନ୍ୟାନ୍ୟ ନିର୍ବାଚିତ ଜନପ୍ରତିନିଧିଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଏପରିକି ନିର୍ବାଚିତ ଜନପ୍ରତିନିଧିମାନେ ବିଧାନସଭା ଘେରାଓ କରିଛନ୍ତି । ରାଜ୍ୟ ସରକାରଙ୍କ ପଂଚାୟତରାଜ ବ୍ୟବସ୍ଥାକୁ ଧ୍ୱଂସ କରିଦେବା ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ସବୁବେଳେ ପ୍ରତିବାଦ କରିବା ସହିତ ୧ଫେବୃୟାରୀ ଦିନ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲା । ନିର୍ବାଚିତ ଜନପ୍ରତିନିଧିମାନଙ୍କ ଅସନ୍ତୋଷ ବ୍ୟାପକ ହେବାର ଦେଖି ଏବଂ ନିର୍ବାଚନ ପାଖେଇ ଆସୁଥିବା କାରଣରୁ ରାଜ୍ୟ ସରକାର ପୁଣି ଥରେ ଚଂଚକତା ଆରମ୍ଭ କରିଦେଇଛନ୍ତି । ଦୀର୍ଘ ବର୍ଷ ଧରି ନିରନ୍ତର ଭାବେ ହଡପ୍ କରିଆସୁଥିବା ଏବଂ ସରପଂଚଙ୍କ କ୍ଷମତା ଉପରେ ଅଙ୍କୁଶ ଲଗାଇ ଦେଇଥିବା ବିଜେଡି ସରକାର ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଫେବୃୟାରୀ ୩ ତାରିଖ ଦିନ ତରବରିଆ ଭାବରେ ଏଫଟିଓ (ଫଣ୍ଡ ଟ୍ରାନ୍ସଫର ଅର୍ଡର) ଉପରେ ବିଡିଓଙ୍କ କାଉଂଟର ଦସ୍ତଖତକୁ ପ୍ରତ୍ୟାହାର କରିଛନ୍ତି । ଭୋଟ ସର୍ବସ୍ୱ ଓ ବିକାଶ ବିରୋଧୀ ବିଜେଡି ସରକାରର ଏଭଳି ଆଭିମୁଖ୍ୟକୁ ଗ୍ରାମାଂଚଳବାସୀ ଆଦୌ କ୍ଷମା ଦେବେ ନାହିଁ ବୋଲି ବିଜେପି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଚତୁଦର୍ଶ ଅର୍ଥକମିଶନ ଲାଗୁ ହେଲା ପରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କାଳରେ ପଂଚାୟତ ପିଛା ୪୦ଲକ୍ଷ ରୁ ୧କୋଟି ଟଙ୍କା ହୋଇଛି । ପଂଚାୟତକୁ ଆସୁଥିବା ଟଙ୍କା ଦେଖି ବିଜୁ ଜନତା ଦଳ ସରକାର ମନରେ ଲୋଭ ହେଲା । ଏହି ଟଙ୍କାକୁ ଲୁଣ୍ଠନ କରିବା ପାଇଁ ଜନପ୍ରତିନିଧିମାନଙ୍କୁ ଆଢ଼ୁଆଳରେ ରଖାଯାଇ ବିଡିଓ ମାନଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ କରାଯିବା ପାଇଁ ସରକାର ୨ଫେବୃୟାରୀ ୨୦୨୦ମସିହାରେ ନିର୍ଦ୍ଦେଶ ଦେଲେ ।
ଏହି ଅବସରରେ ବରିଷ୍ଠ ନେତା ପୃଥ୍ୱିରାଜ ହରିଚନ୍ଦନ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
