ଭୁବନେଶ୍ୱର, 10 ଜାନୁଆରୀ (ହି.ସ.)- ଡାଳୁଅ ଧାନ ଚାଷ ପାଇଁ ହୀରାକୁଦରୁ ବିଭିନ୍ନ କେନାଳରେ ପାଣି ଛାଡ଼ିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଖରିଫ ଧାନ କଟାକଟି ସରିଗଲାଣି । ଏବେ ଡାଳୁଅ ଧାନ ବା ରବି ଧାନ ପାଇଁ ତଳି ପଡ଼ିବା ଆରମ୍ଭ ହେବ । କିନ୍ତୁ କେନାଲରେ ପାଣିଥିବାରୁ ଏବଂ କେତେକ ସ୍ଥାନରେ ଉଠାଜଳସେଚନ ପଏଂଟ ଗୁଡ଼ିକ ଅଚଳ ହୋଇଥିବାରୁ ବିଲରେ ପାଣି ମାଡ଼ିପାରୁ ନାହିଁ । ତେଣୁ ତଳି ପକାଇବା ପାଇଁ ଓ କାଦୁଅ କରିବା ପାଇଁ ଚାଷୀମାନେ ଅଯଥାରେ ଖର୍ଚ୍ଚାନ୍ତ ହୋଇ ଡିଜେଲ ପମ୍ପସେଟ୍ ଘୋଡ଼ାରେ ଆଣି କିଛି କିଛି ସ୍ଥାନରେ ତଳି ପକାଇବା ଆଣିଛନ୍ତି । ତେଣୁ ଚାଷୀମାନଙ୍କର ଏହି ସମସ୍ୟାକୁ ଆଖି ଆଗରେ ରଖି ତୁରନ୍ତ ହୀରାକୁଦରୁ ବିଭିନ୍ନ କେନାଲରେ ପାଣି ଛାଡ଼ିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
