ମାଲକାନଗିରି, ୩୦ ନଭେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ସଦର ସ୍ଥିତ ଡିଏନକେ ଖେଳ ପଡିଆରେ ରବିବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଟିମ୍ ଏବଂ ବିଭିନ୍ନ ଗଣମାଧ୍ୟମର ଭିଡିଓ ଜର୍ଣ୍ଣାଲିଷ୍ଟ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଛି । ୧୫ ଓଭର ବିଶିଷ୍ଟ ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭିଡିଓ ଜର୍ଣ୍ଣାଲିଷ୍ଟ ଟିମ୍ । ନିର୍ଦ୍ଧାରିତ ୧୫ ଓଭରରେ ଦଳ ୬ ଓ୍ବିକେଟ୍ ହରାଇ ୧୩୯ ରନ କରିବାରେ ସକ୍ଷମ ହୋଇଥିଲା । ୧୪୦ ରନ୍ ଲକ୍ଷ୍ୟକୁ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଚିକିତ୍ସିକ ଏକାଦଶ । ଦଳ ଜର୍ଣ୍ଣାଲିଷ୍ଟ ଟିମର ବୋଲରଙ୍କ ସାମ୍ନାରେ ସଂଘର୍ଷ କରିଥିଲା । ନିର୍ଦ୍ଧାରିତ ୧୫ ଓଭରରେ ୭ଟି ଓ୍ବିକେଟ୍ ହରାଇ ମାତ୍ର ୧୨୫ ରନ୍ ସଂଗ୍ରହ କରିପାରିଥିଲା । ଯାହାଫଳରେ ଏହି ମ୍ୟାଚରେ ଜର୍ଣ୍ଣାଲିଷ୍ଟ ଟିମ୍ ୧୫ ରନରେ ବିଜୟ ହାସଲ କରିଛି । ଡାକ୍ତର ଏକାଦଶ ପକ୍ଷରୁ ଡା. ଅଭିଷେକ ୩୩ ବଲରେ ସର୍ବାଧିକ ୫୨ରନ ସଂଗ୍ରହ କରିଥିବା ବେଳେ ଭିଡିଓ ଜର୍ଣ୍ଣାଲିଷ୍ଟ ଦଳ ପକ୍ଷରୁ ସଂଜୟ ସର୍ବାଧିକ ୨୧ଟି ବଲ ଖେଳି ୨୨ ରନ ସଂଗ୍ରହ କରିଥିଲେ।
ଏହି ବନ୍ଧୁତ୍ଵପୂର୍ଣ ମ୍ୟାଚକୁ ସହଯୋଗ କରିଥିଲା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ । ମ୍ୟାଚର ବିଜୟୀ ଭିଡିଓ ଜର୍ଣ୍ଣାଲିଷ୍ଟ ଟିମକୁ ୨୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଉଭୟ ଟିମ୍ ର ସର୍ବାଧିକ ଛକା ଏବଂ ଚୌକା ମାରିଥିବା ବ୍ୟାଟରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅଶୋକ ମିଶ୍ର, ସମ୍ପାଦକ ବି. ଶ୍ରୀନିବାସ ପାତ୍ର, ମୁଖ୍ୟ ଉପଦେଷ୍ଟା ରତ୍ନାକର ଦାଶ, ସାମ୍ବାଦିକ ଜିତେନ୍ଦ୍ର ବେଉରିଆ ଏବଂ ଦେବବ୍ରତ ସାନା, ଏ. ଈଶ୍ବର ରାଓ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ବିଜୟୀ ଟିମକୁ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ବେଉରିଆ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ମ୍ୟାନେଜର ସତବୀର ସିଂ ରିୟାର ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ
