ବଲାଣି,୨୧ ନଭେମ୍ବର(ହି.ସ) – ମଣ୍ଡଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବରେ କୃତିତ୍ତ୍ୱ ହାସଲ କରିଥିବା କ୍ରୀଡ଼ାବିତ୍ ଙ୍କୁ ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ମାସ ୧୮ ଓ ୧୯ ତାରିଖ ଝାରସୁଗୁଡା ସ୍ଥିତ ବନହାରପଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଥିବା ମଣ୍ଡଳସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରୀଡା ଉତ୍ସବରେ ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ପ୍ରାଚୀ ବିଶ୍ୱାଳ ଡିସ୍କସ ଥ୍ରୋ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି । ଏହି କ୍ରୀଡା ଉତ୍ସବରେ ଓଡ଼ିଶାର ୪୮ ବିଦ୍ୟାଳୟ ଅଂଶଗ୍ରହଣ କରିଥିବା ବେଳେ ବଲାଣି ଡିଏଭି ପବ୍ଲିକ ସ୍କୁଲର କ୍ରୀଡା ଶିକ୍ଷୟତ୍ରୀ ଶିଳ୍ପୀ ଲାହାଙ୍କ ତତ୍ତ୍ୱାବଧାନରେ ଆଥେଲେଟିକ ଓ ବ୍ୟାଡମିଣ୍ଟନ ଦଳ ଅଂଶଗ୍ରହଣ କରିଥିଲେ । ମଙ୍ଗଳବାର ବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷା ହୀରଣ୍ୟମୟୀ ମହାନ୍ତି ତାଙ୍କର ଏହି କୃତିତ୍ତ୍ୱ ନିମନ୍ତେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସୁପରଭାଇଜର ବିଶ୍ୱରଂଜନ ଆଚାର୍ଯ୍ୟ, କ୍ରୀଡା ଶିକ୍ଷୟତ୍ରୀ ଶିଳ୍ପୀ ଲାହା ଓ ଅନ୍ୟତମ କ୍ରୀଡା ଶିକ୍ଷକ ଶଶାଙ୍କ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।/ବନ୍ଦନା
