ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ଭୁବନେଶ୍ୱର, 24 ନଭେମ୍ବର – ନବକୃଷ୍ଣ ଚୌଧୁରୀ ଥିଲେ ବିପ୍ଳବୀ ଜନନାୟକ, ସାମ୍ୟବାଦୀ ଦର୍ଶନର ରୂପକାର, କୃଷକ, ଖଟିଖିଆ ଓ ମେହନତି ମଣିଷର ସୁଖଦୁଃଖର ସାଥୀ, ସରଳ, ନିରାଡ଼ମ୍ବର ଓ ସର୍ବୋପରି ଜଣେ ସଚ୍ଚା ଦେଶସେବକ । ଗାନ୍ଧିଜୀଙ୍କ ଆହ୍ୱାନରେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ ନବକୃଷ୍ଣ ଚୌଧୁରୀ । ଉଭୟ ବ୍ୟକ୍ତିଗତ ଓ ସାମାଜିକ କ୍ଷେତ୍ରରେ ସାଧୁତା, ନୈତିକତା, ସରଳତା, ପରୋପକାର ଓ ସତ୍ୟବାଦିତା ଦୃଷ୍ଟିରୁ ସେ ସମଗ୍ର ଦେଶରେ ଏକ ବିରଳ ରାଜନେତା ଥିଲେ । ମୂଲ୍ୟବୋଧଭିତ୍ତିକ ରାଜନୀତି ପାଇଁ ନବକୃଷ୍ଣ ଚୌଧୁରୀ ସବୁଦିନ ପାଇଁ ମନେ ରହିବେ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି ।
ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ଜମିଦାରୀ ପ୍ରଥା ଉଚ୍ଛେଦ, ଓଡ଼ିଶା ଭାଗଚାଷ ଆଇନ, ଭୂସଂସ୍କାର ପାଇଁ ପ୍ରାଥମିକ ବ୍ୟବସ୍ଥା ଆଦି ଜନକଲ୍ୟାଣକାରୀ ନିୟମ ଆଣି ନବକୃଷ୍ଣ ଚୌଧୁରୀ ଓଡ଼ିଶାର ଧନୀ-ଦରିଦ୍ର ମଧ୍ୟରେ ତାରତମ୍ୟକୁ ହ୍ରାସ କରିବା ଦିଗରେ ତାଙ୍କର ନିଷ୍ଠା ପ୍ରମାଣ କରିଥିଲେ । ରାଉରକେଲାଠାରେ ରାଷ୍ଟ୍ରାୟତ୍ତ ଇସ୍ପାତ କାରଖାନା, ଓ ହୀରାକୁଦ ବନ୍ଧ ନିର୍ମାଣ ସହ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ବଳିଷ୍ଠ ଅବଦାନ ଥିଲା । ଜଣେ ନିଷ୍ଠାପର ଜନନାୟକ ଏବଂ ବିପ୍ଳବୀର ସମସ୍ତ ଗୁଣ ତାଙ୍କଠାରେ ପରିପୂର୍ଣ୍ଣ ଥିଲା ବୋଲି ମନ୍ତ୍ରୀ ଶ୍ରୀ ଅମାତ ଉଲ୍ଲେଖ କରିଥିଲେ ।
ବିଶିଷ୍ଟ ଅତିଥି ଓଡ଼ିଶା ବିଧାନସଭାର ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ତାଙ୍କ ବକ୍ତବ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଜଣେ ସରଳ, ପରୋପକାରୀ, ସତ୍ୟବାନ ରାଜନେତା ଭାବେ ବର୍ଣ୍ଣନା କରିବା ସହ ତାଙ୍କର ନିଷ୍ଠା, ଆଦର୍ଶ, ତ୍ୟାଗପୂତ ଜୀବନ ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଓଡ଼ିଶା ରିଭୁ୍ୟ ଓ ଉତ୍କଳ ପ୍ରସଙ୍ଗର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନବକୃଷ୍ଣ ଚୌଧୁରୀଙ୍କୁ ଜଣେ ଆଦର୍ଶବାଦୀ ରାଜନେତା ଓ ସାଲିସ୍ବିହୀନ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିଥିଲେ । ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ନବକୃଷ୍ଣ ଚୌଧୁରୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ କୃତି ଓ କୀର୍ତ୍ତି ବାବଦରେ ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଲେଖକ ତଥା ଗାନ୍ଧୀବାଦୀ ଚିନ୍ତକ ଶ୍ରୀ ଶୈଳଜ ରବି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୀବନାଦର୍ଶ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ତାଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରିପାରିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ନିଃସ୍ୱାର୍ଥପର ଜନସେବକ, ବିଶିଷ୍ଟ ରାଜନୀତିଜ୍ଞ ବୋଲି ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅଗ୍ରଣୀ ପଞ୍ଚକଳା ପ୍ରତିଷ୍ଠାନ ଗୋପଳଦାସ ସ୍ମାରକୀ କଳାମନ୍ଦିର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ାର ଆକାଶବାଣୀ ସ୍ୱୀକୃତିପ୍ରାପ୍ତ କଳାକାରମାନଙ୍କ ଦ୍ୱାରା ବୃନ୍ଦଗାନ, ଭଜନ ଏବଂ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୂଚନା ଅଧିକାରୀ ତନୁଜା ମହାନ୍ତି ସଂଯୋଜନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର /
