ସମ୍ବଲପୁର, ୨୬ ଅକ୍ଟୋବର (ହି.ସ.)- ଆଗାମୀ ୨୮ ତାରିଖ ଶନିବାର କୁମାରପୂର୍ଣ୍ଣମୀ ପଡୁଥିବା ଯୋଗୁଁ ମା ସମଲେଶ୍ଵରୀଙ୍କ ପୀଠରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । କୁମାରପୂର୍ଣ୍ଣମୀ ଦିନ ଚନ୍ଦ୍ର ଗ୍ରହଣ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ପୂଜକଙ୍କ ଏକ ସମନ୍ବୟ ବୈଠକରେ ମିଳିତ ନିଷ୍ପତି କ୍ରମେ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। ଶନିବାର ପ୍ରାତଃ ୫ଟାରେ ମାଁ”ଙ୍କ ମଙ୍ଗଳ ଆଳତି ପରେ ଅନ୍ଯ ସମସ୍ତ ନୀତିକାନ୍ତି ଶେଷ ହେବ । ସକାଳ ୬ଟାରୁ ଦିନ ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ସାଧାରଣ ଦର୍ଶନ ବ୍ୟବସ୍ଥା । ଦିନ ୧୧ଟା ୪୫ ମିନିଟ୍ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ମା”ଙ୍କ ଅନ୍ନଭୋଗ ଲାଗି ହେବା ପରେ ମା”ଙ୍କ ଶୃଙ୍ଗାର ଓ ରାଜ ରାଜେଶ୍ଵରୀ ବେଶ ଅନୁଷ୍ଠିତ ହେବ। ଏହାପରେ ମା ସମଲେଶ୍ଵରୀଙ୍କ ମନ୍ଦିରରେ ଧ୍ଵଜାରୋହଣ ପର୍ବ ଓ ମହାଦୀପ ଉଠିବ । ଅପରାହ୍ନ ୨ଟାରୁ ଅପରାହ୍ନ ୩ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମା”ଙ୍କୁ ଦର୍ଶନ କରିବା ପରେ ଚନ୍ଦ୍ରଗ୍ରହଣ ହେତୁ ମନ୍ଦିର ବନ୍ଦ ରହିବ ବୋଲି ଧାର୍ଯ୍ୟ ନୀତି ନିର୍ଘଣ୍ଟରୁ ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ସମନ୍ୱୟ
