ସମ୍ବଲପୁର, ୨୪ ଅଗଷ୍ଟ (ହି.ସ.)- ମହାନଦୀକୁ ଡେଇଁଲେ ଛାତ୍ରୀ । ଆଜି ଭୋର୍ ସମୟରେ ସମ୍ବଲପୁର ଚାଉଁରପୁର ପୋଲ ଉପରୁ ନଦୀକୁ ଡେଇଁପଡି ଜଣେ ଛାତ୍ରୀ ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ ଓ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସମ୍ପୃକ୍ତ ଛାତ୍ରୀଙ୍କ ଘର କୁଆଡେ ଏବଂ ସେ କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲେ ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି ।
ଅନ୍ୟପକ୍ଷରେ ପୋଲ ଉପରୁ ଏକ ବ୍ୟାଗ୍ ଉଦ୍ଧାର ହୋଇଛି । ବ୍ୟାଗ୍ ରେ ନବମ ଶ୍ରେଣୀର ପ୍ରଶ୍ନପତ୍ର ରହିଛି । ବ୍ୟାଗ୍ ରୁ ପ୍ରଶ୍ନପତ୍ର ମିଳିଥିବାରୁ ସେ ନବମ ଶ୍ରେଣୀର ଛାତ୍ରୀ ହୋଇଥିବା ଅନୁମାନ କରାଯାଉଛି । ଏଥିସହ ପୋଲ ଉପରେ ସାଇକେଲ ଓ ମୋବାଇଲ ପଡିଛି । ଏହା ତାଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏହି ଖବର ପ୍ରଚାରିତ ହେବା ପରେ ପୋଲ ଉପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଯାହାକୁ ନେଇ ସେଠାରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ହିରାକୁଦ ଜଳଭଣ୍ଡାରର ୮ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିବାରୁ ମହାନଦୀରେ ପ୍ରଖର ଜଳସ୍ରୋତ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
