କନ୍ଧମାଳ, ୨୫ ଅପ୍ରେଲ ସାରା ବିଶ୍ୱରେ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇ ରହିଥିବାବେଳେ କନ୍ଧମାଳା ଜିଲ୍ଲା ପାହଡ଼ ଜଙ୍ଗଲ ଘେରା ଅଂଚଳ ସମେତ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ମଧ୍ୟ ଏକ ସ୍ୱାସ୍ଥ୍ୟ ସମସ୍ୟା ରୂପେ ଠିଆହୋଇଛି । ସରକାରଙ୍କ ତରଫରୁ ଏହାର ନିୟନ୍ତ୍ରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା ଜାରିରହିଛି । ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ୱ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଉଛି । କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପଙ୍କ ମିଳିତ ସହଯୋଗରେ ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡ଼ା ଠାରେ ଏହି ଦିବସକୁ ପାଳନ କରିବାକୁ ଯାଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲା ତରଫରୁ କୁମୁଦଚନ୍ଦ୍ର ସାହୁ ଓ ବ୍ଲକ ତରଫରୁ ସନତ କୁମାର ମୋହାପାତ୍ରଙ୍କ ତତ୍ୱାବଧାନରେ ଆୟୋଯିତ ଏହି କାର୍ଯ୍ୟକ୍ରମରେ ଯଥାସମ୍ଭବ ସ୍କ୍ରିନିଂ କରି ପଜିଟିଭ୍ ଚିହ୍ନଟ ବ୍ୟକ୍ତିମାନଙ୍କୁ ଚିକିତ୍ସା କରିବା ସହ ମଶାରୀ ବ୍ୟବହାର ପାଇଁ ବାଲନ୍ଦାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ରାକେଶ କୁମାର ବିଶ୍ୱାଳ ଆହ୍ୱାନ ଦେଇଥିଲେ । ସେହିପରି ସୁପରଭାଇଜର ଗୋପାଳକୃଷ୍ଣ ଡାକୁଆ ଉପସ୍ଥିତ ରହି ଆଜିର ଏହି ମହତ୍ୱପୂର୍ଣ୍ଣ ଦିବସରେ ସମସ୍ତଙ୍କୁ ମଶାରୀ ବ୍ୟବହାର କରିବା ସହ ଜ୍ୱର ଆସିବାକ୍ଷଣି ସ୍ଥାନୀୟ ଆଶାଙ୍କ ନିକଟକୁ ଯାଇ ରକ୍ତପରୀକ୍ଷା କରି ସଠିକ ମାତ୍ରାର ଔଷଧ ସେବନ କରିବାକୁ ଅନୁରୋଧ କରିଥିଲେ । ପ୍ରତିମା ସାହୁ, ସନ୍ତୋଷିନୀ କହଁର, ମନୋଜ କୁମାର ମଲ୍ଲିକ, ଦେବିକା ଦାଶ, ଡାଇନା ନାୟକ ଓ ଇତିଶ୍ରୀ ସାହାଣି ପ୍ରମୁଖ ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମୀମାନେ ଯୋଗଦେଇ ମ୍ୟାଲେରିଆ ହଟାଇବା ପାଇଁ ପରିଚାଳିତ ହେଉଥିବା ଦମନ କାର୍ଯ୍ୟକ୍ରମରେ ଆବାଳ ବୃଦ୍ଧବନିତାମାନେ ଉପସ୍ଥିତ ରହି ନିଜର ପରୀକ୍ଷାକରି ମ୍ୟାଲେରିଆ ପରି ଦୁସାଧ୍ୟ ସଂକ୍ରମଣରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ । ଏଥିସହ ଭଲ୍ୟୁଂଟରମାନେ ଆଶା ଓ ଏ.ଏନ୍.ଏମ୍.ଙ୍କ ସହମତିରେ ସଠିକ୍ ପ୍ଲାନିଂ କରି ଜନସାଧାରଣଙ୍କ ପାଖରେ ମିଳିତ ଭାବରେ ପହଂଚି ପାରିଲେ ମାସ୍ ସ୍କ୍ରିନଂ ସହ ସଂକ୍ରମଣକୁ ମଧ୍ୟ ଚେକ୍ ଦେଇହେବ ବୋଲି ଅନୁଷ୍ଠାନର ସଂପାଦକ ହରିଶଙ୍କର ରାଉତ କହିଥିଲେ । ଅନୁଷ୍ଠାନ ତରଫରୁ ବିଶ୍ୱରଞ୍ଜନ କରଙ୍କ ତତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ମା ଗୃହ ଓ ପ୍ରାକଦିପ ପ୍ରକଳ୍ପ ତରଫରୁ ପୁଷ୍ପିତା ସାହୁ, ସାମନ୍ତି ଦିଗାଲ, ପ୍ରିୟଦର୍ଶନି ପ୍ରଧାନ, ଚଂଚଳା କହଁର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
