କେନ୍ଦ୍ରାପଡ଼ା, ୨୩ ମାର୍ଚ୍ଚ – ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସର ଇସ୍ତାହାର କମିଟି ପକ୍ଷରୁ ପ୍ରସ୍ତୁତ ଗ୍ୟାରେଣ୍ଟି କୁ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଲୋକନାଥ ମହାରଥୀ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଚିନ୍ମୟ ପ୍ରସାଦ ବେହୁରା, ପାଟକୁରା ନେତା ରତିକାନ୍ତ କାନୁନଗୋ, ପ୍ରଫୁଲ୍ଲ ଦାସ, ରତିକାନ୍ତ ସାମଲ, ସିଦ୍ଧାର୍ଥ ସ୍ୱରୂପ ଦାସ, ସତ୍ୟପ୍ରିୟ ସାମଲ ପ୍ରମୁଖ ଉପସ୍ଥିତ ରହି ଦଳ ପକ୍ଷରୁ ଦିଆଯାଇ ଥିବା ୯ ଦଫା ଗ୍ୟାରେଣ୍ଟି ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । କୃଷି ଋଣ ଛାଡ, ଧାନର ସହାୟକ ମୂଲ୍ୟ ୩ ହଜାର ଟଙ୍କା, କୃଷକ ମାନଙ୍କୁ ମାସିକ ୨ ହଜାର ଟଙ୍କା ପେନଶନ, ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ, ୫ ଲକ୍ଷ ଯୁବକ- ଯୁବତୀଙ୍କୁ ନିଯୁକ୍ତି, ୩ ହଜାର ବେକାରୀ ଭତା, ଘର ର ମୁଖ୍ୟ ମହିଳାଙ୍କୁ ଗୃହଲକ୍ଷ୍ମୀ ଯୋଜନାରେ ୨ ହଜାର ଲେଖାଁଏ ଭତା, ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ଛାଡ, ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର, ବାର୍ଦ୍ଧକ୍ୟ ଭତା, ଦିବ୍ୟାଙ୍ଗ ଭତା, ବିଧବା ଭତା ମାସିକ ୨ ହଜାର, ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ୯ଦଫା ଗ୍ୟାରେଣ୍ଟି ରେ ପ୍ରତିଶୃତି ଦିଆଯାଇଛି । କଂଗ୍ରେସ କ୍ଷମତାକୁ ଆସିଲେ ଏହି ୯ଦଫା ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବ ବୋଲି ବରିଷ୍ଠ ନେତାମାନେ ପ୍ରକାଶ କରିଥିଲେ । ଏହି ଅବସରରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରାଙ୍କୁ ପିସିସି ଉପ ସଭାପତି ଦାୟିତ୍ୱ ମିଳିଥିବାରୁ ସମ୍ବର୍ନ୍ଧିତ କରାଯିବା ସହ ମହାକାଳପଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ରେଯୋଗ ଦେଇଥିବା ଯୁବ ନେତା ମାନଙ୍କୁ ସମ୍ବର୍ନ୍ଧିତ କରାଯାଇ ଥିଲା ।
