କୋରାଇ, ୨୩ ଫେବୃଆର :– କୋରାଇ ବ୍ଲକର କରଦା ପଂଚାୟତର ଗଣପର୍ବ ହରିହାଟ ମହୋତ୍ସବର ପଂଚମ ଦିବସରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା । କମିଟିର ସାଂସ୍କୃତିକ ସମ୍ପାଦକ କାର୍ତିକ ଚ୍ଦ୍ର ସ୍ୱାଇଁ ସଂଚାଳନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଯୋଗ ଦେଇବାବେଳେ ସମ୍ମାନୀତ ଅତିଥି ଭାବେ ନେମ ଆଣ୍ଡ ଫେମର ଅଧ୍ୟକ୍ଷ ବନୋଜ ଜେନା, କାର୍ତିକ ମଲ୍ଲିକ, ସନ୍ତୋଷ କୁମାର ବେହେରା, ଜନାର୍ଦ୍ଧନ ସେନାପତି, ଗୋକୁଳାନନ୍ଦ ସାହୁ ଓ ମେଳା କମିଟିର ରତ୍ନାକର ସାହୁଙ୍କ ସମେତ ମଠାଧିଶ ବାବାଜୀ କୃଷ୍ଣ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସୁଧାଶଙ୍କର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଓ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରେରିତ କଳାହାଣ୍ଡିର ଘୁମରା ନୃତ୍ୟ ଓ ଭୁବନେଶ୍ୱରର ଶୁଭଶ୍ରୀ କଳା ନିକେତନର କଳାକାରଙ୍କ ଦ୍ୱାରା ଚିତାବର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । ରାଜ୍ୟ ସରକାରଙ୍କ ଓରମାଶ ଓ ନାବାର୍ଡ଼ ଦ୍ୱାରା ପକାଯାଇଥିବା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କ ସହିତ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟିକ ଷ୍ଟଲମାନଙ୍କ ନିକଟରେ କ୍ରେତା ମାନଙ୍କର ଭିଡ଼ ଜମିଥଲା । ଏଥିସହିତ ମେଳାରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ମେଳାରେ ଦୋଳି ସହିତ ମୀନାବଜାର, ୍େଷ୍ଟସନାରୀ ଦୋକାନ, କଂସା ପିତଳ ଦୋକାନ, ଫାଷ୍ଟ ଫୁଡ଼ ଦୋକାନର ମଜା ଉଠାଇଥିଲେ ଦର୍ଶକମାନେ । ଏତଦବ୍ୟତୀତ ତୁଳସୀ ଗଣନାଟ୍ୟର ତୃତୀୟ ସଂଧ୍ୟାରେ ଯାତ୍ରାରେ ମଧ୍ୟ ଦର୍ଶକମାନଙ୍କ ଭିଡ଼ ଲାଗି ରହିଥିଲା । ଶାନ୍ତି ଶୁଙ୍ଖଳା ରକ୍ଷା ନିମନ୍ତେ ପାଣିକୋଇଲି ପୁଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏଥିସହିତ ମେଳା ଓ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ପରିଚାଳନରେ ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ ।
