ଭୁବନେଶ୍ୱର, 14 ନଭେମ୍ବର : ନବୀନ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” ନାମରେ ଯେଉଁ ଯୋଜନା ପ୍ରଣୀତ ହୋଇଛି ଏହା କେବଳ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଛାତ୍ର ଛାତ୍ରୀଙ୍କୁ ପ୍ରଭାବିତ କରିବାକୁ ଉଦ୍ଦିଷ୍ଟ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଛନ୍ତି । ୨୦୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନକୁ ବିଜୁ ଜନତା ଦଳ ବନ୍ଦ କରିଦେଇଛନ୍ତି । ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଏବଂ ଅନ୍ୟାନ୍ୟ ଅଣବିଜେଡ଼ି ଛାତ୍ର ସଂଗଠନ ଏବଂ ଓଡ଼ିଶାର ଛାତ୍ର ସମାଜ ବାରମ୍ବାର ଦାବି କରିବା ସତ୍ୱେ ସରକାର ତାଙ୍କ ଜିଦିରେ ଅଟଳ ରହିବା ଦୁର୍ଭାଗ୍ୟଜନକ । ଏଭଳି ପରିସ୍ଥିତିରେ ଛାତ୍ର ସମାଜକୁ ଆକର୍ଷିତ କରିବା ପାଇଁ ଏବଂ ଆଗାମୀ ନିର୍ବାଚନରେ ସମର୍ଥନ ହାସଲ କରିବା ନିମନ୍ତେ ଏହି “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” ଉଦ୍ଦିଷ୍ଟ । ଶିକ୍ଷାନୁଷ୍ଠାନରେ କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମର ଉନ୍ନତି ପାଇଁ ଏହି ଯୋଜନା ଅଭିପ୍ରେତ ବୋଲି କୁହାଯାଇଛି । ନେତୃତ୍ୱ, ବ୍ୟକ୍ତିଗତ ପ୍ରତିଭା ଏବଂ ଟିମ୍ ସ୍ପିରିଟ୍ର ବିକାଶ ପାଇଁ ଏହି ଯୋଜନାର କାର୍ଯ୍ୟକ୍ରମ ଏକ ପ୍ଲାଟଫର୍ମ ବୋଲି କୁହାଯାଇଛି । ଏଥିରେ ସମସ୍ତେ ଏକ ପରିବର୍ଦ୍ଧିତ ଗୋଷ୍ଠିରେ ନିଜକୁ ଯୋଡ଼ି ପାରିବେ ବୋଲି କୁହାଯାଇଛି । ବାସ୍ତବ କ୍ଷେତ୍ରରେ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରାଯାଇ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ କରିବା ଏହି ଯୋଜନାର ଭିତିରି ଉଦ୍ଦେଶ୍ୟ । ଛାତ୍ରମାନଙ୍କ ଭିତରେ ଏହି ସବୁ କ୍ଷେତ୍ରରେ ପ୍ରତିଯୋଗିତା କରି ପୁରସ୍କାର ବଂଟନ କରାଯିବ ଏବଂ ବିଜେଡ଼ିର ନେତାମାନେ ଏଥିରେ ସଂଶ୍ଲିଷ୍ଟ ରହି ନିର୍ବାଚନ ପ୍ରଚାର କାର୍ଯ୍ୟ କରିବେ । ବିଜୁ ଛାତ୍ର ଜନତା ଦଳକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଶକ୍ତ କରାଯିବା ପାଇଁ ବ୍ୟବସ୍ଥା ରହିଛି । ଏହା ପୂର୍ବରୁ ବିଜୁ ଯୁବବାହିନୀ ଗଠନ କରି ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ଭୁଆଁ ବୁଲାଇ ରାଜ୍ୟ ରାଜକୋଷରୁ ୪୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଜୁ ଜନତା ଦଳର କର୍ମୀ ପୋଷଣ କରାଗଲା । ଆଜି ଏହି ଯୋଜନା ବନ୍ଦ ହୋଇଯାଇଛି । ସେହିଭଳି ସମନ୍ୱିତ ଯୁବ ବିକାଶ ଯୋଜନା ଏବେ ଆସିଛି । ଏଥିରେ ରାଜ୍ୟର ୬୮୭ ଟି ଉଚ୍ଚ ଶିକ୍ଷା ଅନୁଷ୍ଠାନ ରହିଛି ଯେଉଁଥିରେ ସମସ୍ତ ସରକାରୀ କଲେଜ, ଅନୁଦାନପ୍ରାପ୍ତ ସରକାରୀ କଲେଜ ଏବଂ ବିଶ୍ୱ ବିଦ୍ୟାଳୟମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଅର୍ଥାତ ନିର୍ବାଚନ ପୂର୍ବରୁ ସମସ୍ତ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସାଧାରଣ ଲୋକଙ୍କ ଟିକସ ଅର୍ଥର ଏହି ସମନ୍ୱିତ ଯୁବ ବିକାଶ ଯୋଜନା ମାଧ୍ୟମରେ ଦଳୀୟ ପ୍ରଚାର କାର୍ଯ୍ୟକ୍ରମ କରିବେ । ଆଗରୁ ଛାତ୍ର କଂଗ୍ରେସ ଘୋଷଣା କରିଛି ଯେ, ଓଡ଼ିଶାର ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଜୁ ଜନତାଦଳର ଦଳୀୟ ଅନୁଷ୍ଠାନରେ ପରିଣତ କରାଯାଉଛି । କାରଣ ଛାତ୍ର ବିଜେଡ଼ିର କର୍ମକର୍ତାମାନେ ଅନ୍ୟ ଛାତ୍ର ସଂଗଠନମାନଙ୍କୁ ଏହି ଅନୁଷ୍ଠାନ ଭିତରକୁ ପ୍ରବେଶ କରେଇ ଦେଉନାହାନ୍ତି । ନିକଟରେ ବିଜେବି କଲେଜରେ ଏନ୍.ଏସ୍.ୟୁ.ଆଇକୁ ସମର୍ଥନ କରୁଥିବା ଛାତ୍ର/ଛାତ୍ରୀମାନଙ୍କୁ କିଭଳି ଭାବରେ କଲେଜ ପରିସରରେ ଛାତ୍ର ବିଜେଡ଼ିର କର୍ମକର୍ତାମାନେ ଆକ୍ରମଣ କଲେ, ତାହା ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ସୁତରାଂ କେବଳ ଛାତ୍ର ବିଜେଡ଼ି ସଂଗଠନ ଅଧିକ ଶକ୍ତିଶାଳୀ କରିବା ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ବୋଲି ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ କହିଛନ୍ତି ।
ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟିର ସଭ୍ୟମାନେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ଦୌରାତ୍ମ୍ୟ କରୁଛନ୍ତି । ବହୁ କ୍ୟାମ୍ପସରେ ଛାତ୍ରୀମାନେ ଅସୁରକ୍ଷିତ । ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟିର ସଭ୍ୟମାନେ ର୍ୟାଗିଙ୍ଗ କରି କ୍ୟାମ୍ପସ ପରିସରରେ ଅଶାନ୍ତିର ବାତାବରଣ କରୁଥିବାବେଳେ ପ୍ରଶାସନ ନୀରବ ରହିଛି । ବିଜେବି କଲେଜରେ ର୍ୟାଗିଙ୍ଗ ପାଇଁ ଛାତ୍ରୀ ରୁଚୀକା ମହାନ୍ତି ଆତ୍ମହତ୍ୟା କଲା । ମାତ୍ର ଏହାର ତଦନ୍ତ ଏପର୍ଯ୍ୟନ୍ତ ସରିଲା ନାହିଁ । ଦୋଷୀକୁ ଧରାଗଲା ନାହିଁ । ସରକାର ଦୋଷୀକୁ ଘଂଟ ଘୋଡାଇଛନ୍ତି । ସେହିଭଳି ଖଲିକୋଟ୍ କଲେଜରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟିର ମୁଖ୍ୟଙ୍କ ଦ୍ୱାରା ଛାତ୍ରୀଙ୍କୁ ଅମାନବୀୟ ଦୁବ୍ୟବହାର ଘଟଣା ଏବେ ଅପାସୋରା ରହିଛି । ଏବେ ର୍ୟାଗିଙ୍ଗ ଅଭିଯୋଗ କରି ରମାଦେବୀରୁ ଜଣେ ଛାତ୍ରୀ ଟିସି ନେଇଯିବା ଘଟଣା ମଧ୍ୟ ଏହି ରାଜ୍ୟରେ ଅଭିଭାବକମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଏହିଭଳି ଭାବରେ ଓଡ଼ିଶା ସାରା ବିଜୁ ଛାତ୍ର ଜନତା ଦ୍ୱାରା କ୍ୟାମ୍ପସ ମାନଙ୍କରେ ଆତଙ୍କ ରାଜ ଚାଲିଛି । ଅନ୍ୟପକ୍ଷରେ ବିଜୁ ଯୁବ ଜନତାର କର୍ମକର୍ତାମାନେ ଏବଂ ନେତାମାନେ ଜାଲ୍ ସାର୍ଟିଫିକେଟ ଜରିଆରେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଯେଉଁ ଆଡ଼ିମିସନ କରିଥିଲେ ତାହା ମଧ୍ୟ ଲୋକଲୋଚନକୁ ଆସିଛି । ଦିବ୍ୟାଙ୍ଗମାନଙ୍କର ସାର୍ଟିଫିକେଟକୁ ଜାଲ୍ କରି ଆଡ଼ିମିସନ କରାଯାଉଛି । ଏହି ର୍ୟାକେଟ୍ ବିଜୁ ଜନତା ଦଳର ଯୁବ ଓ ଛାତ୍ର ନେତାମାନେ ଚଳାଉଛନ୍ତି । ଭଦ୍ରକ ଅଟୋନୋମସ୍ କଲେଜର ଘଟଣା ଏହାର ଜ୍ୱଳନ୍ତ ଉଦାହରଣ ।
