ଧର୍ମଶାଳା, ୧୬ ଫେବୃଆରୀ – ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅଧିନସ୍ଥ ବାଲିଗୁଡା ଗ୍ରାମରେ ଋଣ ଖିଲାପି ପରିବାର ଲୋକଙ୍କ ଆକ୍ରମଣରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଏନେଇ ମହିଳା କର୍ମଚାରୀ ଜଣକ ବ୍ରହ୍ମବରଦା ଥାନାରେ ଏତଲା ଦେଇଥିବା ଜଣାପଡିଛି । ଏଭଳି ମହିଳା ଜଣକ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ଅଭିଯୋଗ ମୁତାବକ, ଯାଜପୁର ଜିଲା ଚଣ୍ଡିଖୋଲ ସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀ ସୂର୍ଯ୍ୟୋଦୟ ଫାଇନାନ୍ସରୁ ବ୍ରହ୍ମବରଦା ଥାନା ମଙ୍ଗରାଜପୁର ପଂଚାୟତସ୍ଥ ବାଲିଗୁଡା ଗ୍ରାମର ରଂଜନ ମଲ୍ଲିକଙ୍କ ପରିବାର ୨ ବର୍ଷ ତଳେ ଋଣ ଆଣିଥିଲେ । ଫଳରେ ଋଣ ଟଙ୍କା ପରିଶୋଧ ନ କରି କମ୍ପାନୀକୁ ବିଭିନ୍ନ ବାହାନା ଦେଖାଇ ଆସୁଥିଲେ । ତେବେ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଚାପରେ ଆଜି ମଧ୍ୟାହ୍ନରେ କମ୍ପାନୀର ମହିଳା କର୍ମଚାରୀ ରିହାନା ଖାତୁନ ବାଲିଗୁଡା ଗ୍ରାମକୁ ଯାଇଥିଲେ । କର୍ମଚାରୀ ଜଣକ ଗ୍ରାମର ରଂଜନଙ୍କ ପରିବାର ସହିତ ଆଲୋଚନା କରିଥିଲେ । ଫଳରେ ପରିବାର ଲୋକେ ଉତ୍ୟକ୍ତ ହୋଇ ରିହାନାଙ୍କୁ ଏକ ପ୍ଲାଷ୍ଟିକ ଚେୟାରରେ ତିନି ଜଣ ମାଡ ମାରି ଥିଲେ । ଏହାକୁ ସ୍ଥାନୀୟ ଅଂଚଳର ମହିଳାମାନେ ଦେଖି ସେମାନଙ୍କ କବଳରୁ ରିହାନାଙ୍କୁ ଉଦ୍ଧାର କରିଥିଲେ । ଏନେଇ ରିହାନା ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଛନ୍ତି । ତେବେ ଅଂଚଳରେ ଜଣେ ମହିଳା କର୍ମଚାରୀଙ୍କୁ ସମ୍ମାନ ନ ଦେଇ ଅମାନୁଷିକ ଭାବେ ମାଡ ମାରିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହିତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ତେବେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରା ନ ଗଲେ କମ୍ପାନୀର ସମସ୍ତ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।
