ସମ୍ବଲପୁର, ୨୪ ନଭେମ୍ବର (ହି.ସ.)- ଆକାଶବାଣୀ ସମ୍ବଲପୁର ଏକ ଭାରତର ସର୍ବ ପୁରାତନ କେନ୍ଦ୍ର। ପଶ୍ଚିମ ଓଡିଶା ତଥା ସମ୍ବଲପୁର ଜିଲ୍ଲା ଏକ ସଂସ୍କୃତି ସମ୍ପନ୍ନ ଅଂଚଳ ହୋଇଥିବା ବେଳେ, ଆକାଶବାଣୀ ସମ୍ବଲପୁର ପକ୍ଷରୁ ବିଗତ ଦିନରେ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ ଓ ପ୍ରସାରିତ କରାଯାଇ ଲୋକାଦୃତ ହେବା ସହ ରାଷ୍ଟ୍ରୀୟ ତଥା ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ ହୋଇ ଆସିଛି। ହେଲେ ଦିନକୁ ଦିନ ଶ୍ରୀହୀନ ହୋଇପଡୁଛି ଏହି ଆକାଶବାଣୀ କେନ୍ଦ୍ର। ମୁଖ୍ୟ କେନ୍ଦ୍ର ସହ ଏଫ.ଏମ. କେନ୍ଦ୍ର ର ଆରମ୍ଭ ହୋଇଥିଲା ରେଡ଼ିଓ ମହାନଦୀ ନାମରେ। ଏହି ଏଫ.ଏମ. ଟ୍ରାନ୍ସମିଟରର କ୍ଷମତା ଥିଲା ୧୦ କିଲୋୱାଟ ହେଲେ ଅନେକ ଦୋଷ ତ୍ରୁଟି ଯୋଗୁଁ ତାହା ଆଜିର ଦିନରେ ଖସି ଆସି ୨୫୦ ୱାଟ୍ ରେ ପହଂଚି ଯାଇଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ କହିଛି ”ସକ୍ଷମ”।
ଏହି କ୍ରମରେ ସକ୍ଷମ ପକ୍ଷରୁ ସୂର୍ଯ୍ୟ ପାଣିଗ୍ରାହୀ, ଦେଓକିରଣ ପଟ୍ଟନାୟକ, ସରୋଜ ସାହୁ ଓ ଶ୍ରୀକାନ୍ତ ପାଣିଗ୍ରାହୀ ଆକାଶବାଣୀର ଡାଇରେକ୍ଟର ଜେନେରାଲ ଡଃ. ବସୁଧା ଗୁପ୍ତାଙ୍କୁ ହୋଟେଲ ଡ଼ଲଫିନ ଠାରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ”ସକ୍ଷମ” ର ପ୍ରତିନିଧି ମାନେ ଆହୁରି ମଧ୍ୟ ଦାବି ଜଣାଇଛନ୍ତି ଯେ, ଆଜିର ଦିନରେ ଏଫ.ଏମ. ରେଡ଼ିଓ ର ଯେପରି ଭାବରେ ଲୋକପ୍ରିୟତା ବଢୁଛି ସମ୍ବଲପୁର ଆକାଶବାଣୀ ଏଫ.ଏମ. ଟ୍ରାନ୍ସମିଟରର ପ୍ରସାରଣ କ୍ଷମତା ୧୦ କିଲୋୱାଟ ରୁ ୨୦ କିଲୋୱାଟକୁ ବୃଦ୍ଧି କରାଯିବା ସଙ୍ଗେ ସଙ୍ଗେ ଯେହେତୁ ଆଗାମୀ ଦିନରେ ଏ.ଏମ. ଟ୍ରାନ୍ସମିଶନ ମାନେ ପ୍ରସାର ଭାରତୀ ବନ୍ଦ କରିବାର ପ୍ରସ୍ତାବ ରଖୁଛି, ସେହି କାରଣରୁ ଅନ୍ୟ ବଡ଼ ବଡ଼ ସହର ଓ ଆକାଶବାଣୀ କେନ୍ଦ୍ର ମାନଙ୍କରେ ଯେମିତି ଅଧିକ ଏଫ.ଏମ. କେନ୍ଦ୍ର ପ୍ରତିଷ୍ଠା ହେଉଛି ସେତେବେଳେ ଆଉ ଏକ ୧୦ କିଲୋୱାଟ କ୍ଷମତା ସମ୍ପନ୍ନ ଏଫ.ଏମ. ଟ୍ରାନ୍ସମିଟର ପ୍ରତିଷ୍ଠାର ଯୋଜନା ପ୍ରସ୍ତୁତ କରାଯିବାକୁ ସକ୍ଷମ ଦାବୀ ଜଣାଇଛି।
”ସକ୍ଷମ” ଆହୁରି ମଧ୍ୟ ପ୍ରସ୍ତାବ ଦେଇଛି ଯେ, ଆକାଶବାଣୀ ଏଫ.ଏମ. ର ବ୍ୟବସାୟିକ ସଫଳତା ପାଇଁ ଆବଶ୍ୟକୀୟ ମାର୍କେଟିଙ୍ଗ ଅଧିକାରୀଙ୍କୁ ନିୟୋଜିତ କରାଯାଉ, ଯଦ୍ବାରା ଆକାଶବାଣୀ ଏଫ.ଏମ. ସଫଳତା ପାଇବା ସହ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଲୋକପ୍ରିୟ ମଧ୍ୟ ହୋଇପାରିବ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ସମନ୍ୱୟ
