ବଲାଣି, ୧୬ ଡିସେମ୍ବର(ହି.ସ): ଯୋଡା ବ୍ଲକ ସଭାଗୃହରେ ଶନିବାର ପଞ୍ଚାୟତର ସପ୍ତମ ବୈଠକ ତଥା ପ୍ରଥମ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୦ ଘଟିକାରେ ଆରମ୍ଭ ହେବାକୁ ଥିବା ଏହି ବୈଠକ ବିଭିନ୍ନ ବିଭ୍ରାଟ ନେଇ ଦିନ ୧ଟା ବେଳେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା । ୯ଟି ବିନ୍ଦୁ ଉପରେ ଆଲୋଚନା ହେବାକୁ ଥିବା ଏହି ବୈଠକରେ ପ୍ରତି ପଞ୍ଚାୟତରେ ସ୍କୁଲ ଘର ନିର୍ମାଣ, ଜଳ ଯୋଗାଣ ବ୍ୟବସ୍ଥା, ମିଶନ ଶକ୍ତି ସଭାଗୃହ, ରାସ୍ତା ମରାମତି, ଡ୍ରେନ ମରାମତି, ଭତ୍ତା ପ୍ରଦାନ, ବାସଗୃହ ଯୋଗାଇଦେବା ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାକୁ ରହିଥିଲା । ତେବେ ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କ ଅଭିଯୋଗ ମୁତାବକ ଯୋଡା ବ୍ଲକଟି ମୁଖ୍ୟତଃ ଖଣି ପ୍ରଭାବିତ ଅଞ୍ଚଳ ହୋଇଥିବା ବେଲେ ଜିଲା ପ୍ରଶାସନ ଏହାକୁ ଦୀର୍ଘ ୨ ବର୍ଷ ଧରି ବିକାଶ ମୂଳକ କାର୍ଯ୍ୟରେ ଅଣଦେଖା କରିଆସୁଛି । ରାଜ୍ୟ ସରକାର ଏହି ଖଣି ପ୍ରଭାବିତ ଅଞ୍ଚଳର ବିକାଶ ନିମନ୍ତେ ନିଜସ୍ୱ ପାଣ୍ଠିରୁ ଟଙ୍କାଟିଏ ମଧ୍ୟ ଦେଉନଥିବା ବେଳେ ଜିଲା ଖଣିଜ ପାଣ୍ଠିରୁ ୧୫୧ଟି ପ୍ରକଳ୍ପ ଅନୁମୋଦନ ପାଇଁ ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ଅନୁମୋଦନ ହୋଇ ଆସିପାରିନାହିଁ । ଏଥିରେ ବ୍ୟାପକ ଖଣିଜ ପରିବହନ ଯୋଗୁଁ କ୍ଷତିଗ୍ରସ୍ଥ ଗ୍ରାମ୍ୟ ରାସ୍ତାର ମରାମତି, ଛୋଟ ପୋଲ ନିର୍ମାଣ ଏବଂ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି । ଏହି ଅଭିଯୋଗକୁ ନେଇ ସମିତି ସଭ୍ୟମାନେ ପ୍ରକଳ୍ପ ନିଦେ୍ର୍ଦଶକଙ୍କୁ ୯ଥର ଭେଟିଥିବା ବେଳେ ୬ଥର ଶିଧାଶଳଖ ଜିଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିପାରିନାହିଁ । ଏହି ବୈଠକ କେବଳ ଔପଚାରିକତା ଭାବେ ଅନୁଷ୍ଠିତ ହେଉଥିବା ବେଳେ କାଗଜ କଲମରେ ସିମିତ ରହିଛି । ଏହି ଖଣି ଅଞ୍ଚଳରୁ କୋଟି କୋଟି ଟଙ୍କାର ରାଜସ୍ୱ ରାଜ୍ୟ ସରକାର ପାଉଥିବା ବେଳେ ଜିଲା ଖଣିଜ ପ୍ରତିଷ୍ଠାନରେ କୋଟି କୋଟି ଟଙ୍କା ଗଚ୍ଛିତ ଥାଇ ମଧ୍ୟ ଏ ଅଞ୍ଚଳର ବିକାଶ ଦିନକୁ ଦିନ ବାଧାପ୍ରାପ୍ତ ହେବାକୁ ଲାଗିଛି । ଜିଲା ଖଣିଜ ପ୍ରତିଷ୍ଠାନ କମିଟିରେ ଖଣି ପ୍ରଭାବିତ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, କୌଣସି ବୁଦ୍ଧିଜୀବୀ କିମ୍ବା ବ୍ଲକ ଅଧ୍ୟକ୍ଷ କାହାରିକୁ ହେଲେ ସଭ୍ୟ ରଖାଯାଇନାହିଁ । କନିଷ୍ଠ ଯନ୍ତ୍ରୀମାନେ ବିଭିନ୍ନ ପଞ୍ଚାୟତରେ କରୁଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ କୌଣସି ସମିତି ସଭ୍ୟଙ୍କୁ ସୂଚନା ନଦେଇ ନିଜ ମନ ଇଚ୍ଛା କାର୍ଯ୍ୟ କରିଆସୁଛନ୍ତି ବୋଲି ବ୍ଲକର ଅଧ୍ୟକ୍ଷ କବିନ୍ଦ୍ର ନାଏକ ଅଭିଯୋଗ କରିଥିଲେ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସମିତି ସଭ୍ୟ, ସରପଞ୍ଚମାନଙ୍କୁ ସାମିଲ କରାଯାଉନାହିଁ । ଜିଲା ପ୍ରଶାସନ ମାଧ୍ୟମରେ ବିଭିନ୍ନ ପଞ୍ଚାୟତରେ ଲଗାଯାଇଥିବା ରାସ୍ତା କଡ ଆଲୋକ ଅତ୍ୟନ୍ତ ନିମ୍ନମାନର ଯୋଗୁଁ ଲଗାଯିବାର ମାତ୍ର କେଇ ମାସ ପରେ ସେଗୁଡିକ ଅଚଳ ହୋଇପଡିଛି । ୫ବର୍ଷ ପର୍ଯ୍ୟନ୍ତ ଏଗୁଡିକ ମରାମତିର ଗ୍ୟାରେଣ୍ଟି ଥିବା ବେଳେ ଅଭିଯୋଗ ପରେ ମଧ୍ୟ ତାହାର ତଦାରଖ କରାଯାଉନାହିଁ । ଏଥିରେ ବ୍ୟାପକ ଅର୍ଥ ବାଟମାରଣା ହୋଇଥିବା ସମିତି ସଭ୍ୟମାନେ ଅଭିଯୋଗ କରିଥିଲେ । ବାରମ୍ବାର ସମିତି ସଭ୍ୟମାନଙ୍କୁ ଅଣଦେଖା କରାଯାଉଥିବା ନେଇ ଏହାର ପ୍ରତିବାଦରେ ସମିତି ସଭ୍ୟମାନେ ସଭା ମଧ୍ୟ ଭାଗରୁ କକ୍ଷ ତ୍ୟାଗ କରିଥିଲେ । ତେବେ ନୂତନ ଭାବେ ଯୋଗଦେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଅରୁଣିମା ସାହୁ ସେମାନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ପୁନଃର୍ବାର ବୈଠକରେ ସାମିଲ ନହେବାକୁ ଜିଦ୍ ଧରିଥିଲେ । ତେବେ ପରେ ବ୍ଲକ ଅଧ୍ୟକ୍ଷଙ୍କ ଅନୁରୋଧକ୍ରମେ ସେମାନେ ପୁନଃର୍ବାର ବୈଠକରେ ସାମିଲ ହୋଇଥିଲେ । ତେବେ ବ୍ୟାପକ ହଟ୍ଟଗୋଳ ମଧ୍ୟରେ ଏହି ବୈଠକ ଚାଲିଥିବା ବେଳେ କେହିକାହା କଥା ଶୁଣିବାକୁ ନାରାଜ ଥିଲେ । ବୈଠକଟିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ କବିନ୍ଦ୍ର ନାଏକ ଅଧ୍ୟକ୍ଷତା କରିଥିବା ବେଳେ ଚମ୍ପୁଆ ବିଧାୟୀକା ମିନାକ୍ଷୀ ମହାନ୍ତ, ବ୍ଲକ ଉପାଧ୍ୟକ୍ଷା ମାଳତି ଖଟୁଆ, ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଅରୁଣିମା ସାହୁ, ସହାୟକ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ସାହୁ, ସାଂସଦ ପ୍ରତିନିଧି ଜନାର୍ଦ୍ଦନ ସିଦ୍ଧୁ, ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ କଳ୍ପନା ଶତପଥି ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ହଟ୍ଟଗୋଳ ମଧ୍ୟରେ ଶେଷ ପର୍ଯ୍ୟନ୍ତ କୌଣସି ଆଲୋଚନା ସଠିକ୍ ଭାବେ ହୋଇପାରିନଥିବା ଦେଖିବାକୁ ମିଳିଥିଲା ।/ସମନ୍ୱୟ
