
ମୁଖୀଗୁଡା, ୨୨ ଅଗଷ୍ଟ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ମଦଭାଟି ଛକ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ମୁକୁଳା ଅବସ୍ଥାରେ ରହିଛି । ଜୟପାଟଣା ମୁଖ୍ୟ ରାସ୍ତା କଡରେ ଥିବା ଏହି ଟ୍ରାନ୍ସଫର୍ମରକୁ ସଂଯୋଗ କରୁଥିବା ବିଦ୍ୟୁତ ତାର ରାସ୍ତାରୁ ୧୦ ଫୁଟ ଉଚ୍ଚତାରେ ରହିଥିବା ଯୋଗୁଁ ବସ୍, ଟ୍ରକ୍ ସାଇଡ ଦେବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ଗତ କିଛିଦିନ ତଳେ ଏକ ଯାତ୍ରୀବାହି ବସ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା, କିନ୍ତୁ ଚାଳକର ଉପସ୍ଥିତ ବୁଦ୍ଧି ଯୋଗୁଁ କାହାର କିଛି କ୍ଷତି ହୋଇନଥିଲା । ମୁଖ୍ୟ ରାସ୍ତା କଡ ତଥା ଜନବସତି ନିକଟରେ ଥିବା ସ୍ଥାନରେ ଟ୍ରାନ୍ସଫର୍ମରକୁ ମୁକୁଳା ଅବସ୍ଥାରେ ରଖିବା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବକୁ ଦର୍ଶାଉଛି । କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ବିଦ୍ୟୁତ୍ ବିଭାଗ ତୁରନ୍ତ ଏହି ଟ୍ରାନ୍ସଫର୍ମରକୁ ଆବଦ୍ଧ କରିବା ପାଇଁ ସାଧାରଣରେ ଦାବି ହେଉଛି ।
ସେହିପରି ଜୟପାଟଣାର ଜୋରଖଣିପଡା, ରଜାମୁଣ୍ଡା, ରାଣୀବାହାଲ ଗୁଜିଆପଡାରେ ଥିବା ଟ୍ରାନ୍ସଫର୍ମର ମଧ୍ୟ ମୁକୁଳା ଅବସ୍ଥାରେ ରହିଛି । ବର୍ଷା ଦିନ ପୂର୍ବରୁ ବଡ ବଡ ଗଛର ଡାଳ କଟାଯାଉନଥିବାରୁ ଅନେକ ସ୍ଥାନରେ ବିଦ୍ୟୁତ ତାର ଗଛଡାଳ ଭିତରେ ରହିଛି । ଏଥିଯୋଗୁଁ ଗଛରେ ବିଦ୍ୟୁତ ସରବରାହ ହୋଇ ଧନଜୀବନ ହାନି ହେବାର ସମ୍ଭାବନା ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
