ନାଗପୁର, 22 ଅଗଷ୍ଟ (ହି.ସ.)- ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ୍) ର ବାର୍ଷିକ ବିଜୟାଦଶମୀ ଉତ୍ସବ ପାଇଁ
ଚଳିତ ବର୍ଷ ମଧ୍ୟ ଜଣେ ବିଶେଷ ଆମନ୍ତ୍ରିତ ଅତିଥିଙ୍କ ଘୋଷଣା କରାଯାଇଛି। ମହାରାଷ୍ଟ୍ରର ନାଗପୁର
ସ୍ଥିତ ରେଶୀମବାଗ୍ ମୈଦାନରେ ଆସନ୍ତା ଅକ୍ଟୋବର ୨ ତାରିଖରେ ଆୟୋଜିତ ହେବାକୁ ଥିବା ସଂଘର
ବିଜୟାଦଶମୀ ଉତ୍ସବରେ ଏଥର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ହେବେ ।
ଏହି ସୂଚନା ଶୁକ୍ରବାର ଦିନ ସଂଘର ପ୍ରଚାର ବିଭାଗ ପକ୍ଷରୁ ଦିଆଯାଇଛି।
ପ୍ରଚାର ବିଭାଗ ଶୁକ୍ରବାର ଜଣାଇଛି ଯେ, ବିଜୟାଦଶମୀ (ଦଶହରା) ଉତ୍ସବ ଆରଏସଏସ ପାଇଁ ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଶକ୍ତି ପୂଜନର
ପ୍ରତୀକ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଏହା ନୁହେଁ, ଏହି ଶୁଭ ଅବସରରେ ୧୯୨୫ ମସିହାରେ
ଡ଼ଃ କେଶବ ବଳିରାମ ହେଡଗେୱାର ନାଗପୁରରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସ୍ଥାପନା କରିଥିଲେ। ଏହି
କାରଣରୁ ଏହି ଦିନଟି ସଂଘ ପାଇଁ କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହାର ସ୍ଥାପନା ଦିବସ ମଧ୍ୟ ଅଟେ, ଯାହାକୁ ସଂଘ ପ୍ରତିବର୍ଷ ବଡ଼ ଉତ୍ସାହ ସହକାରେ ପାଳନ କରେ।
ପ୍ରଚାର ବିଭାଗ ଜଣାଇଛି ଯେ, ଏହି ଅବସରରେ ସଂଘର ସରସଂଘଚାଳକ ମୋହନ ଭାଗବତ ଦେଶ ଓ ସମାଜ ସହିତ ଜଡିତ ସମସାମୟିକ ପ୍ରସଙ୍ଗରେ
ନିଜର ଉଦ୍ବୋଧନ ଦେବେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଂଘର ଏହି ଉତ୍ସବ
କାର୍ଯ୍ୟକ୍ରମରେ ଉପସ୍ଥିତିକୁ ବିଶେଷ ଗୁରୁତ୍ୱ ଦିଆଯାଉଛି, କାରଣ ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ କାର୍ଯ୍ୟ କରିସାରିଛନ୍ତି। ସଂଘର ମଞ୍ଚରେ
ତାଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ ଦିଆଯିବା ଏକ ଗୌରବର ବିଷୟ ବୋଲି କୁହାଯାଉଛି।
ଏହି କାର୍ଯ୍ୟକ୍ରମରେ ହଜାର ହଜାର ସ୍ୱଂୟସେବକ ପାରମ୍ପରିକ ଗଣବେଶରେ ସଂଘର ଶାଖା ପଦ୍ଧତିର ପ୍ରଦର୍ଶନ
କରିବେ। ଏହାସହିତ, ସଂଘର ବିଚାରଧାରାକୁ
ପ୍ରତିବିମ୍ବିତ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯିବ।
ଏହି ସନ୍ଦର୍ଭରେ ସଂଘର ପ୍ରଚାର ବିଭାଗ କହିଛି ଯେ, ଦେଶର ପୂର୍ବତନ ରାଷ୍ଟ୍ରପତି ପରି
ଗରିମାମୟ ବ୍ୟକ୍ତିତ୍ୱଙ୍କର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଆମ ପାଇଁ ଗର୍ବର କଥା। ଆମେ
ଆଶା କରୁଛୁ ଯେ ଏହି ଆୟୋଜନ ଦେଶର ଜାତୀୟ ଜାଗରଣକୁ ଆହୁରି ଶକ୍ତି ଦେବ।ଗତ କିଛି ବର୍ଷରେ, ସଂଘର ମଞ୍ଚରେ ଉପସ୍ଥିତ ହେଉଥିବା ରାମନାଥ କୋବିନ୍ଦ ଦ୍ୱିତୀୟ ପୂର୍ବତନ
ରାଷ୍ଟ୍ରପତି ହେବେ। ଏହା ପୂର୍ବରୁ, 2018 ମସିହାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ରାଷ୍ଟ୍ରୀୟ ସ୍ୱଂୟସେବକ
ସଂଘର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
