ପୁରୀ,୧୪ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକ୍ ଶୀତଳପଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ସଂସ୍କୃତି କଳା ମନ୍ଦିର ତରଫରୁ ଶିଶୁ ମହୋତ୍ସବ ଅନୁଷ୍ଠାନର ସଭାପତି ଦିଗମ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ପରିଡା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନେ ସର୍ବଦା ଶୃଙ୍ଖଳିତ, ସଂଯମୀ ଓ ଅଧ୍ୟବସାୟୀ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ରୂପେ ବିଜ୍ଞାନ ଶିକ୍ଷକ ପବିତ୍ର ମୋହନ ଦାସ ଯୋଗଦେଇ ନିତିଦିନିଆ ଜୀବନରେ ବିଜ୍ଞାନର ଅବଦାନ ଓ ଆବଶ୍ୟକତା ଉପରେ କହିଥିଲେ। ପିଲାମାନେ ବୈଜ୍ଞାନିକ ଚିନ୍ତାଧାରାର ବଶବର୍ତ୍ତୀ ହେବା ସହିତ ଅବୈଜ୍ଞାନିକ ଚିନ୍ତାଧାରା ପରିହାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ସଂଗଠକ ଅଜୟ କୁମାର ସ୍ଵାଇଁ, ଶିକ୍ଷକ ବ୍ରହ୍ମଚାରୀ ପଲାଇ, ଶିକ୍ଷକ ଅର୍ଜୁନ କୁମାର ସାମନ୍ତରାୟ, ଶିକ୍ଷକ ଅର୍ଜୁନ କୁମାର ସାହୁ, ପୂର୍ବତନ ସରପଞ୍ଚ ବଳଭଦ୍ର ନାୟକ, ଶିକ୍ଷୟିତ୍ରୀ ଶାନ୍ତିଲତା ମହାପାତ୍ର, ବ୍ୟାଙ୍କ ମିତ୍ର ରଜନୀରାଣୀ ବେହେରା, ଶିକ୍ଷୟିତ୍ରୀ ଅନସୂୟା ନାୟକ, କାମିନୀ ବେହେରା, ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ, ସ୍ଵପ୍ନାରାଣୀ ବରାଳ ପ୍ରମୁଖ ଯୋଗଦାନ କରି ଶିଶୁମାନଙ୍କ ନିମନ୍ତେ ଉତ୍ତମ ଶିକ୍ଷା, ଆନନ୍ଦମୟ ପରିବେଶ, ଉନ୍ନତ କ୍ରୀଡା ଭିତ୍ତିଭୂମି ଓ ସେମାନଙ୍କ ମୌଳିକ ଅଧିକାର ସୁରକ୍ଷା କ୍ଷେତ୍ରରେ ଗୁରୁତ୍ଵାରୋପ କରିଥିଲେ। ଏକ ଶହ ବାର ଜଣଙ୍କୁ ବିଜ୍ଞାନ ଶିକ୍ଷା ପାଇଁ ଖାତା, କଲମ, ପେନସିଲ୍, ସ୍କେଲ, ରଵର ଆଦି ଅତିଥି ମାନେ ପ୍ରଦାନ କରିଥିଲେ। ସଂସ୍କୃତି କଳା ମନ୍ଦିର ପ୍ରତିଷ୍ଠାତା ଶିକ୍ଷକ ଚରଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ପ୍ରାରମ୍ଭରେ କଳା ମନ୍ଦିରର ଛାତ୍ର ଛାତ୍ରୀମାନେ ଗୁରୁ ପବିତ୍ର ଜେନାଙ୍କ ନିର୍ଦ୍ଦେଶନାରେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ
