


ସମ୍ବଲପୁର, ୨୬ ଅକ୍ଟୋବର (ହି.ସ.)- କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମରେ ପହଞ୍ଚି ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେବା ଅବସରରେ ତାଙ୍କର ମୂଲ୍ୟବୋଧକୁ ମନେପକାଇ ସଂଘର୍ଷ ଏବଂ ଜନ ଅଧିକାର ପାଇଁ ଏକାଠି ହେବାକୁ ଜନସାଧାରଣଙ୍କୁ ଆହ୍ଵାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନ୍ତର୍ଗତ ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ‘ଅମୃତ କଳସ’ରେ ମାଟି ସଂଗ୍ରହ କରିଥିଲେ । ପରେ ଗ୍ରାମର ଘରକୁ ଘର ବୁଲି ଗୁରୁଜନ, ମାଆ, ଭଉଣୀ ଓ ଭାଇ ବନ୍ଧୁ ମାନଙ୍କ ଠାରୁ ମାଟି ସଂଗ୍ରହ କରିଥିଲେ କେନ୍ଦ୍ରମନ୍ତ୍ରୀ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ହୀରାକୁଦ ଡ୍ୟାମ୍ ଓ କଳକାରଖାନା ନିର୍ମାଣ ପାଇଁ ଏହି ଅଞ୍ଚଳର ଲୋକମାନେ ବାରମ୍ବାର ବିସ୍ଥାପିତ ହୋଇଛନ୍ତି । ମାତ୍ର ଦୁର୍ଭାଗ୍ୟବଶତଃ ପ୍ରଶାସନିକ ବ୍ୟବସ୍ଥା ଅନୁସାରେ ବିସ୍ଥାପିତଙ୍କ ପାଇଁ ଯେଉଁଭଳି ଭାବରେ କାର୍ଯ୍ୟ ହେବା କଥା ତାହା ଅଦ୍ୟାବଧି ହୋଇପାରିନାହିଁ । ସମୟାନୁଯାୟୀ ରାଜ୍ୟ ସରକାର ଚଲାଉଥିବା ଲୋକ ପ୍ରତିନିଧି ବିସ୍ଥାପିତଙ୍କ ସ୍ଵାର୍ଥକୁ ଧ୍ୟାନ ନ ଦେଇ ଦାୟିତ୍ଵହୀନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଲମ୍ବା ସମୟ ଲଢେଇ କରି ନିଜର ସାହସ ଓ ନୀର୍ଭିକତାର ପରିଚୟ ଦେଇଥିଲେ । ଆଜି ଦେଶ ଯେତେବେଳେ ସ୍ଵାଧୀନତାର ୭୫ ବର୍ଷ ପୁରଣ କରୁଛି ସେହି ସମୟରେ ସୁରେନ୍ଦ୍ର ସାଏଙ୍କ ମୂଲ୍ୟବୋଧକୁ ମନେପକାଇ ନୂଆ ଢଙ୍ଗରେ ସଂଘର୍ଷ, ଲଢେଇ ଓ ଲୋକାଧିକାର ପାଇଁ ଏକାଠି ହେବା ହିଁ ଆଜିର ସଂକଳ୍ପ । ସେହିପରି ଖିଣ୍ଡା ଗ୍ରାମର ସୌନ୍ଦର୍ଯ୍ୟକରଣ ସହ ଏହାକୁ ଏକ ଦର୍ଶନୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ସାମୂହିକ ଉଦ୍ୟମ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ଵାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ” ଦେଶର ସବୁ ଗାଁ ବିଶେଷତଃ ମହାପୁରୁଷଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରିବା ପାଇଁ ଆହ୍ଵାନ କରିଛନ୍ତି । ସଂଗ୍ରାମୀ ମାଟି ଖିଣ୍ଡା ଗ୍ରାମରୁ ସଂଗ୍ରହ ହୋଇଥିବା ପବିତ୍ର ମାଟି ଦିଲ୍ଲୀ ଯିବ ଏବଂ ସେଠାରେ କର୍ତ୍ତବ୍ୟ ପଥରେ ‘ଅମୃତ ବାଟିକା”ରେ ସ୍ଥାପିତ ହେବ । ”ମୋ ମାଟି, ମୋ ଦେଶ” ଆଜି ଦେଶବାସୀଙ୍କ ମନରେ ଏକତା ଭାବନା ଆଣିବା ସହ ନୂଆ ଜାଗରଣ ସୃଷ୍ଟି କରିଛି । ଏହି ଅବସରରେ ଶ୍ରୀ ପ୍ରଧାନ ସମବେତ ଜନସାଧାରଣଙ୍କୁ ପଞ୍ଚପ୍ରାଣର ଶପଥ ପାଠ ମଧ୍ୟ କରାଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ସମନ୍ୱୟ
