ବଲାଙ୍ଗିର, 25 ଅକ୍ଟୋବର (ହି.ସ.)
ବଲାଙ୍ଗିର ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୭ ଅକ୍ଟୋବର ଠାରୁ ୨ ନଭେମ୍ବର ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଚୁଡାନ୍ତ କରାଯାଇଥିଲା । ଦୁର୍ନୀତି ବିରୋଧରେ ସଚେତନତା ପାଇଁ ୨୭ ଅକ୍ଟୋବର ୧୧ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜ଼ିଲ୍ଲା ର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ତଥା ପ୍ରତିଷ୍ଠାନରେ ଅଧିକାରୀ ଓ କର୍ମଚାରୀମାନେ ସମୁହ ଶପଥପାଠ ଗ୍ରହଣ କରିବେ । ୨୭ ତାରିଖରୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ଅନ୍ତର୍ଗତ ଗ୍ରାମ ଗୁଡିକରେ ଗ୍ରାମସଭା ଆୟୋଜନ କରାଯାଇ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହେବ । ବ୍ଲକର ବିଡିଓ ଏବଂ ତହସିଲଦାରମାନେ ଏହି କାର୍ଯ୍ୟକ୍ରମକୁ ଯୋଜନା ମୁତାବକ ସଫଳ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ନଭେମ୍ବର୧ରେ ଏକ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ କୋଶଳ କଳାମଣ୍ଡଲରୁ ପିପି ଏକାଡେମି ପର୍ଯ୍ୟନ୍ତ ହେବ ଏବଂ ସଚେତନତା ସଭା ଅନୁଷ୍ଠିତ ହେବ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୁର୍ନୀତି ନିବାରଣ ସଚେତନତା ସଂପର୍କିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତବର୍ଷ “ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟିତ୍ଵ” ପ୍ରସଙ୍ଗକୁ ଭିତ୍ତି କରି ପାଳନ କରାଯିବ । ଏହି ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ସୁସ୍ଥ ସମାଜ ଗଠନ ତଥା ଦୁର୍ନୀତିର ମୁଳୋତ୍ପାଟନ ପାଇଁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଆହ୍ୱାନ କରିବା ସହ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ l ଏହି ବୈଠକରେ ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ଶାଖା, ବଲାଙ୍ଗିର ପୁଲସ୍ତି ଛତ୍ରିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଜିଲ୍ଲା କ୍ରିଡା ଅଧିକାରୀ ପରାଶର ବାଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି ଏବଂ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
—————
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ
