ରାଉରକେଲା, ୩୧ ଡିସେମ୍ବର (ହି.ସ.)- ରାଉରକେଲା ସହର ବର୍ଷ ଆରମ୍ଭରୁ ବିଶ୍ଵ ହକିକୁ ନେଇ ଦେଶ ବିଦେଶରେ ଚର୍ଚ୍ଚାରେ ରହିଥିଲା, ପରେ ବର୍ଷ ଶେଷ ଆଡକୁ ସହରରେ କେଉଁ କାରଣରୁ ହଇଜା ବ୍ୟାପି ୧୫ରୁ ଅଧିକ ଜୀବନ ନେଇ ହଜାର ହଜାର ଲୋକଙ୍କୁ ଡାକ୍ତରଖାନାକୁ ନେଲା ତାହା ଜଣାପଡିନଥିବା ବେଳେ ସହରରେ ଘଟିଥିବା ଦୁଇଟି ଚର୍ଚ୍ଚିତ ମୃତ୍ୟୁ ଘଟଣାର ସତ୍ୟତା କଣ ତାହା ଏବେ ବି ଲୋକଙ୍କ ମନରେ ରହସ୍ୟମୟ ହୋଇ ରହିବା ସହ ପୁଲିସର ଉତର କାହାକୁ ସନ୍ତୁଷ୍ଟ କରିପାରି ନାହିଁ । ହକିକୁ ନେଇ ସହର ଚଳଚଂଚଳ ହେବା ସହ ଅନେକ ଦିନ ପରେ ସହରରେ ବିମାନ ଚଳାଚଳ ଏହି ସମୟରେ ହେଲା, ରାସ୍ତା ଘାଟ ଚକା ଚକ ହେବା ସହ ଅନେକ ନିୟମ ଲାଗୁ ହେଲା । ତେବେ ଏତେ କଡା ଶାସନ ବ୍ୟବସ୍ଥା ଭିତରେ ସହରର ୩୬ ରୁ ଅଧିକ ଯାଗାରେ ପାଣି ପାଇପ ଫାଟି ସେଥିରେ ନାଳ ପାଣି ମିଶି ଘର ଗୁଡିକୁ ଯାଉଥିବା କଥା କାହାକୁ ଦେଖା ଗଲାନି। ଶେଷରେ ସହରରେ ହଇଜା ବ୍ୟାପି ରାଉରକେଲାକୁ ଚର୍ଚ୍ଚାରେ ରଖିଲା, କିନ୍ତୁ ଏହା କେଉଁ କାରଣ ଲାଗି ଘଟିଲା ତାହା ରହସ୍ୟ ହୋଇ ରହିଗଲ।। ଠିକ ସେହିଭଳି ସହରରେ କାମ କରୁଥିବା ଦୁଇ ଆଦିବାସୀ ମହିଳା ସହକାରୀ ଜିଲ୍ଲାପାଳ ଶୁଶ୍ମିତା ମିଂଜ ଓ ପୁଲିସ ଏଏସଆଇ ଆଲିଶା ଲୁଗୁନଙ୍କର ମୃତ୍ୟୁ ଘଟଣାରେ ନାନା ପ୍ରଶ୍ନ ଉଙ୍କି ମାରିଥିବା ବେଳେ ତାଙ୍କ ପରିବାର ଲୋକେ ମଧ୍ୟ ଅନେକ କଥା ଉଠାଇଥିଲେ, ହେଲେ ପୁଲିସର ତଦନ୍ତ ସେସବୁ ପ୍ରଶ୍ନର ଉତର ରଖିପାରିନଥିବା ବେଳେ ଦୁହିଁଙ୍କ ମୃତ୍ୟୁକୁ ନେଇ ଆସିଥିବା ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ପରିବାର ଲୋକଙ୍କ ପାଖରେ ଗ୍ରହଣୀୟ ହୋପାରିଲା ନାହିଁ । ଫଳରେ ଏହି ଦୁଇଟି ଘଟଣା ଏବେ ବି ରହସ୍ୟମୟ ହୋଇ ରହିଗଲା ବୋଲି ଆଲୋଚନା ଚାଲିଛି ।
ପ୍ରଥମେ ଶୁଶ୍ମିତାଙ୍କ କଥାକୁ ଦେଖାଯାଉ, ତାଙ୍କର ମୃତ୍ୟୁ ପାଣିରେ ବୁଡି ହୋଇଥିବା କୁହାଜିବା ପରେ ରିପୋର୍ଟ ମଧ୍ୟ ସେଇଆ ଆସିଲା, ହେଲେ ତାଙ୍କ ପରିବାର ଲୋକେ ଏହି ମୃତ୍ୟୁକୁ ନେଇ ଅନେକଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ପୁଲିସକୁ ମଧ୍ୟ ବିଶ୍ଵାସକୁ ନେଇ ନଥିଲେ । ପୁଲିସ ତଦନ୍ତ କଲା, କିନ୍ତୁ କେଉଁ କାରଣରୁ ଶୁଶ୍ମିତାଙ୍କର ମୃତ୍ୟୁ ହେଲା, କେଉଁ ସ୍ଥିତିରେ କଣ ତାଙ୍କର ମାନସିକତା ଥିଲା ଯେତେବେଳେ ତାଙ୍କର ମୃତ୍ୟୁ ହେଲା ତାହା ଆଜିଯାଏ ରହସ୍ୟମୟ ହୋଇ ରହିଯାଇଛି । ତାଙ୍କ ପରିବାର ଲୋକେ ମଧ୍ୟ ନିରବି ଗଲେ, ଆନ୍ଦୋଳନ କରିଥିବା ସଙ୍ଗଠନ ଗୁଡିକ ମଧ୍ୟ ନିରବ । ଠିକ ସେହିଭଳି ଆଲିଶା ଲୁଗୁନ ଯିଏକି ଉଦିତନଗର ଥାନାରେ ଏଏସଆଇ ଭାବେ କାମ କରୁଥିଲେ, ଘଟଣା ଦିନ ପିସିଆର ଡ୍ୟୁଟିରେ ମାତ୍ର ଜଣେ କନେଷ୍ଟବଳଙ୍କ ସହ ଥିବାବେଳେ ଖବରପାଇ ରିଂରୋଡରେ ଏକ ଗୋଷ୍ଠି ସଂଘର୍ଷକୁ ନିୟନ୍ତ୍ରଣକୁ ଆଣିବା ଲାଗି ଯାଇଥିବା ବେଳେ ସେଠାରେ ତାଙ୍କର କଣ ଏମିତି ହେଲା ଯେ, ଜଣେ ସୁସ୍ଥ ଲୋକ ସେଠାରେ ଅସୁସ୍ଥ ହୋଇ କିଛି ସମୟ ପରେ ମୃତ୍ୟୁ ବରଣ କଲେ । ଡାକ୍ତରୀ ମାଇନା ରିପୋର୍ଟ ପ୍ରଥମେ କଣ ଆସିଲା ତାହା ଜଣା ଯାଇନଥିବା ବେଳେ ପରେ ଏମ୍ସ ରୁ ରିପୋର୍ଟ ଆସିଲା ଅତ୍ୟଧିକ ଉତେଜନା ଲାଗି ତାଙ୍କର ମୃତ୍ୟୁ ହେଲା । ହେଲେ ତାଙ୍କ ପରିବାର କୋକେ ଏହାକୁ ଗ୍ରହଣ କଲେ ନାହିଁ । ଉଭୟ ଘଟଣାକୁ ସ୍ଥାନୀୟ ପୁଲିସ ତଦନ୍ତରେ ନ୍ୟାୟ ଦେଇ ପାରିନାହିଁ କିମ୍ବା ଦେଇ ପାରିବନାହିଁ ତେଣୁ ମାମଲାକୁ ସିବିଆଇକୁ ଦିଆଯାଉ ବୋଲି ଦାବି ହୋଇଥିଲା। ମାତ୍ର ସବୁ କିଛି ଏବେ ନିରବି ଜିବା ସହ ଏହା ୨୦୨୩ର ଏକ ରହସ୍ୟମୟ ଘଟଣା ହୋଇ ରହିଗଲା ବୋଲି ଚର୍ଚ୍ଚା ଚାଲିଛି ।
ହିନ୍ଦୁସ୍ଥାନ ସମାଚାର/କାଳିପ୍ରସାଦ/ପ୍ରଦୀପ୍ତ
