ପୁରୀ, ୧୮ ଅକ୍ଟୋବର (ହି.ସ.)- ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମା ଦୂର୍ଗାଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହେଉଛି । ନବରାତ୍ରିର ଚତୁର୍ଥ ଦିବସରେ ମାତା କୁଷ୍ମାଣ୍ଡାଙ୍କୁ ଉପାସନା କରାଯାଏ । ଯେତେବେଳେ ସୃଷ୍ଟିର ଅସ୍ତିତ୍ଵ ନଥିଲା, ମାତା କୁଷ୍ମାଣ୍ଡା ବ୍ରହ୍ମାଣ୍ଡ ରଚନା କରିଥିବା ପୁରାଣରେ ବର୍ଣ୍ଣିତ ଅଛି । ଈଷତ୍ ହାସ୍ୟ ମୁଖରେ ଅଣ୍ଡକୁ ଅର୍ଥାତ୍ ବ୍ରହ୍ମାଣ୍ଡକୁ ଯିଏ ଉତ୍ପନ୍ନ କରିଛନ୍ତି ସେହି ଶକ୍ତିକୁ କୁଷ୍ମାଣ୍ଡା କୁହାଯାଏ । ତେଣୁ ସେ ସୃଷ୍ଟିର ଆଦି-ସ୍ଵରୂପା, ଆଦିଶକ୍ତି । ସେ ସୂର୍ଯ୍ୟ ମଣ୍ଡଳ ଭିତରେ ନିବାସ କରନ୍ତି । ତାଙ୍କର ସୂର୍ଯ୍ୟ ତୁଲ୍ୟ ତେଜର ଝଲକ ଦଶଦିଗକୁ ବ୍ୟାପ୍ତ କରୁଥାଏ । ସେ ଅଷ୍ଟଭୂଜା । ସାତ ହାତରେ ସାତ ପ୍ରକାର ଅସ୍ତ୍ର ଚମକପ୍ରଦ ଅଟେ । ମା’ଙ୍କର ସାତ ହସ୍ତରେ କମଣ୍ଡଳୁ, ଧନୁଷ, ବାଣ, ପଦ୍ମ, ଅମୃତ କଳସ, ଚକ୍ର, ଗଦା ଏବଂ ଅଷ୍ଟମ ହସ୍ତରେ ସମସ୍ତ ସିଦ୍ଧି ଓ ନିଧି ପ୍ରଦାନକାରୀ ଜପ ମାଳା ରହିଛି । କୁଷ୍ମାଣ୍ଡ (ପାଣିକଖାରୁ) ବଳି ତାଙ୍କର ଅତି ପ୍ରିୟ ଅଟେ । ତେଣୁ ଏହି ଶକ୍ତିଙ୍କର ନାମ ‘କୁଷ୍ମାଣ୍ଡା’ ରଖାଯାଇଛି । ଏହି ଶକ୍ତି ବିଶ୍ଵ ପ୍ରସିଦ୍ଧ ଅଟେ । ଏହି ବ୍ୟାଖ୍ୟା ରୁଦ୍ରଯାମଳ ତନ୍ତ୍ର ଏବଂ କୁଞ୍ଜି କାଗମ ତନ୍ତ୍ରରେ ଲେଖାଅଛି ।
ମା କୁଷ୍ମାଣ୍ଡାଙ୍କର ଉପାସନା କଲେ ଭକ୍ତର ସମସ୍ତ ରୋଗ, ଶୋକ ଆଦି ଦୂର ହୋଇଥାଏ । ମା’ଙ୍କର ଉପାସନା କଲେ ଆୟୁ, ଯଶ, ବଳ ଓ ଆରୋଗ୍ୟ ଲାଭ ହୋଇଥାଏ ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
