
ଗଂଜାମ, ୯ ନଭେମ୍ବର (ହି.ସ.)- ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଆବେଦନ ପାଇଁ ରାଜ୍ୟ ସରକାର ଦଶମପାସ ବୋର୍ଡ ସାର୍ଟିଫିକେଟ ଦାଖଲ ବ୍ଯବସ୍ଥା ଗ୍ରହଣ କରି ଛନ୍ତି । ଏହାର ଦୃଢନିନ୍ଦା ପ୍ରତିବାଦ ଗଞାମ ଜିଲା ଓୟୂଡବଲ୍ଯୁଜେ ଶାଖା ପକ୍ଷରୁ କରାଯାଇଛି । ସାମ୍ବାଦିକତା କରିବା ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ମାପକାଠି ନାହିଁ । ମାଇନର ଯାଏ ପାଠ ପଢିଥିବା ଅନେକ ସାମ୍ବାଦିକ, ସ୍ତମ୍ଭକାର ଓ ସଂପାଦକ ଯଶସ୍ଵୀ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ମଧ୍ୟ ଶହ ଶହ ମାଟ୍ରିକ ପାସ କରିନଥିବା ସାମ୍ବାଦିକ ସଫଳତାର ସହ କାର୍ଯ୍ୟ କରୁଛନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ବୀମାଭୁକ୍ତ ପାଇଁ ଦଶମ ପାସ ବୋର୍ଡ ସାର୍ଟିଫିକେଟ ଦାଖଲ ପାଇଁ ବାଧ୍ୟତାମୂଳକ କରିଥିବାରୁ ସାମ୍ବାଦିକ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଶହ ଶହ ସାମ୍ବାଦିକ ବୀମାଭୁକ୍ତ ହେବା ପାଇଁ ଆବେଦନ କରିବାରୁ ବଂଚିତ ହୋଇଛନ୍ତି । ତୁରନ୍ତ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହାର ପୁନଃ ବିଚାରକରି ବୀମା ଆବେଦନରୁ ଦଶମ ପାସବୋର୍ଡ ସାର୍ଟିଫିକେଟ ଦାଖଲ ବ୍ଯବସ୍ଥା ଉଠାଇ ନେବାପାଇଁ ସାମ୍ବାଦିକ ମହଲରେ ଦାବିହେଉଛି।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ
