ପଟ୍ଟାମୁଣ୍ଡାଇ, ୬ ଜାନୁଆରୀ (ହି.ସ.)- ଭିତରକନିକା ଜାତୀୟ ଉଦ୍ୟାନ ଗେଟ୍ ନିକଟ ବାଙ୍କୁଆଳ ମୌଜାରେ ନିର୍ମିତ ସ୍ଵାଦ ହୋଟେଲ ଜଙ୍ଗଲ ଜମିକୁ ଅଧିକୃତ କରାଯାଇଛି ବୋଲି ବହୁ ତୁମ୍ବି ତୋଫାନ ହୋଇଥିଲା । ଏଥିରେ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ କରି ରାଜନଗର ବ୍ଲକ କଂଗ୍ରେସ ପକ୍ଷରୁ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯିବା ସହିତ ରାଜନଗର ବନଖଣ୍ଡ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅପରପକ୍ଷେ ରାଜନଗର କଂଗ୍ରେସ କାର୍ଯ୍ୟାଳୟ ସରକାରୀ ଜମି ଜବରଦଖଲ କରାଯାଇଛି ଏହାର ଉଚ୍ଛେଦ ବିଜେଡି ଦାବି କରିଥିଲା । ମାତ୍ର ବିଧାୟକଙ୍କର ଉକ୍ତ ହୋଟେଲ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୌଣସି ସଂପୃକ୍ତି ନାହିଁ ବୋଲି ହୋଟେଲ ମାଲିକ ଓ ନିଜେ ବିଧାୟକ ଗଣମାଧ୍ୟମରେ ସଫେଇ ଦେଇଥିଲେ। ହୋଟେଲ ମାଲିକ ନିଜର ସ୍ଥିତିବାନ ୨୪ ଡିସିମିଲ ଜାଗାକୁ ଲାଗିଥିବା ପ୍ରାୟ ଏକ ଏକରରୁ ଊର୍ଦ୍ଧ୍ବ ଜଙ୍ଗଲ ଜମିକୁ ଜବରଦଖଲ କରି ବିବାଦୀୟ ସ୍ଵାଦ ହୋଟେଲ ନିର୍ମାଣ କରିଛନ୍ତି ଏବଂ ଯାହା ଦ୍ବାରା ଭିତରକନିକାର ଜୈବ ବିବିଧତା ଉପରେ ବିପଦ ରହିଛି । ଏହାର ତଦନ୍ତ କରାଯାଇ ଜବରଦଖଲ ଉଚ୍ଛେଦ କରାଯାଉ ବୋଲି ବିଜେପି ଯୁବନେତା ଜ୍ୟୋତି ପ୍ରକାଶ ପ୍ରଧାନ ଓ ଅନ୍ୟମାନେ ଭୁବନେଶ୍ଵରରେ ପ୍ରଧାନ ମୂଖ୍ୟ ବନ ସଂରକ୍ଷକ ( ବନ୍ୟଜନ୍ତୁ ) ଏସ.କେ ପୋପଲିଙ୍କୁ ଭେଟି ଗତ ତା ୦୯ ଅକ୍ଟୋବର ୨୦୨୩ ମସିହାରେ ଅଭିଯୋଗ କରିଥିଲେ ।
ଅନ୍ୟ ପକ୍ଷରେ ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ଗ୍ରାମର ବିଚିତ୍ରାନନ୍ଦ ବାୟୀ ଏବଂ ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ବିବାଦୀୟ ‘ସ୍ଵାଦ ହୋଟେଲ’ ସରକାରୀ ଜମି ବା ଜଙ୍ଗଲ ଜମି ଅଧିକୃତ କରି ହୋଟେଲ କରିଛି କି ନାହିଁ, ଏହି ବାବଦରେ ବିଭାଗ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ? ସୂଚନା ଅଧିକାର ଆଇନ ବଳରେ ରାଜନଗର ତହସିଲ ଓ ବନଖଣ୍ଡ କାର୍ଯ୍ୟାଳୟକୁ ଯଥାକ୍ରମେ ଦୁଇଟି ପୃଥକ ପୃଥକ ଦରଖାସ୍ତ କରିଥିଲେ। ବିଳମ୍ବ ହେଲେ ମଧ୍ୟ ପ୍ରଥମ ଅପିଲ କର୍ତ୍ତୃପକ୍ଷ ତଥା ତହସିଲଦାର ଓ ବନଖଣ୍ଡ ଅଧିକାରୀ ରାଜନଗର ଶୁଣାଣୀ କରି ସୂଚନା ପ୍ରଦାନ କରିଛନ୍ତି ଯେ, ସ୍ଵାଦ ହୋଟେଲ ସମ୍ପର୍କିତ କୌଣସି ତଥ୍ୟ ଦପ୍ତରରେ ଉପଲବ୍ଧ ହେଉନାହିଁ । ଅନୁରୂପ ଭାବେ ଏହି ହୋଟେଲ ବାବଦରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏସ.କେ. ପୋପଲିଙ୍କ ନିକଟରେ ଜ୍ୟୋତିପ୍ରକାଶ ପ୍ରଧାନ ଓ ଅନ୍ୟମାନଙ୍କ ଦ୍ଵାରା ଗତବର୍ଷ ସୁଦ୍ଧା ଅକ୍ଟୋବର ୯ ତାରିଖରେ କରାଯାଇଥିବା ଅଭିଯୋଗ ରାଜନଗର ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ନିକଟରେ ଗତ ବର୍ଷ ଡିସେମ୍ବର ୬ ତାରିଖ ହସ୍ତଗତ ହୋଇନାହିଁ ବୋଲି କାର୍ଯ୍ୟାଳୟ ସୂଚନା ଦେଇଛି । ଏତେ ବାଦବିବାଦ ପରେ କାର୍ଯ୍ୟାଳୟ ଜାଣିଶୁଣି କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ସୂଚନା ପ୍ରଦାନ କରୁନାହିଁ ବୋଲି ଜ୍ୟୋତିପ୍ରକାଶ ଅଭିଯୋଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ପ୍ରଦୀପ୍ତ/ସମନ୍ୱୟ
