ଭୁବନେଶ୍ୱର, 4 ନଭେମ୍ବର (ହି.ସ.) – ପ୍ରଯୋଜକ ଟୁଟୁ ନାୟକ ଗିରଫ ହୋଇଛନ୍ତି । ମହିଳା ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା ଘଟଣାରେ ସିନେ ପ୍ରଯୋଜକ ସଞ୍ଜୟ ଓରଫ୍ ଟୁଟୁ ନାୟକଙ୍କୁ ଗିରଫ କରିଛି ଭୁବନେଶ୍ୱର ଖାରବେଳନଗର ପୋଲିସ । ଶନିବାର ଅପରାହ୍ନରେ ଟୁଟୁଙ୍କୁ ପଚରାଉଚରା ପରେ ପୋଲିସ୍ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ଭୁବନେଶ୍ୱର ଏସ୍ଜିଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଟୁଟୁ ନାୟକ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି । ଏହି ସମୟ ମଧ୍ୟରେ ସେ ଝାରପଡ଼ା ଜେଲରେ ରହିବେ ।
ଗତକାଲି ଖବର ସଂଗ୍ରହ ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଓ ଦୁର୍ବ୍ୟବହାର କରିବା ଭଳି ସଂଗିନ ଅଭିଯୋଗ ଆସିବା ପରେ ପୁଲିସ ଟୁଟୁ ନାୟକଙ୍କ ବିରୋଧରେ ପୁଲିସ କେସ୍ ନଂ-୫୫୩ରେ ଦଫା ୩୪୧, ୩୨୩, ୩୫୪ ଓ ୨୯୪ରେ ମାମଲା ରୁଜୁ କରିଥିଲା ।
ଅନ୍ୟପକ୍ଷରେ ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ମହିଳା କମିସନ ହସ୍ତକ୍ଷେପ କରିଛନ୍ତି । ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା କରିଛନ୍ତି । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସ କମିସନରଙ୍କୁ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
