
ଭୁବନେଶ୍ୱର, 13 ଜାନୁଆରୀ (ହି.ସ.)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ବଡ଼ଗଡ଼ ଗ୍ରାମବାସୀ ଓ ଶହୀଦ ପଦ୍ମନାଭ ଛୋଟରାୟ ସ୍ମୃତି ସଂସଦ ଆନୁକୂଲ୍ୟରେ ଖୋର୍ଦ୍ଧା ପାଇକ ବିଦ୍ରୋହର ଅନ୍ୟତମ ଦୁର୍ଦ୍ଦଶ ସେନାପତି ବଡ଼ଗଡ଼ ଗ୍ରାମର ଯୋଗ୍ୟ ଦାୟାଦ ଶହୀଦ ପଦ୍ମନାଭ ଛୋଟରାୟଙ୍କ ୨୦୧ତମ ବଳିଦାନ ଦିବସ ଶନିବାର ପ୍ରତ୍ୟୁଷରେ ଭୁବନେଶ୍ୱର ବଡ଼ଗଡ଼ ତାଙ୍କ ପୈତୃକ ଗ୍ରାମସ୍ଥିତ ପ୍ରତିମୂର୍ତିସ୍ଥଳୀଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ପ୍ରତାପ ଜେନା, କର୍ପୋରେଟର ଅଜିତ୍ ବେହେରା, ଜିତେନ୍ଦ୍ର ମାର୍ଥା ବ୍ରଜବନ୍ଧୁ ପରିଡ଼ା, ଯତୀନ୍ଦ୍ର ମୋହନ ଛୋଟରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟ, ଗିରିଜା ଶଙ୍କର ମହାପାତ୍ର, ଗନ୍ଧର୍ବସେନ ପାତ୍ର, ଲକ୍ଷ୍ମୀଧର ଶ୍ରୀଚନ୍ଦନ, ସୁଧୀର କୁମାର ପରିଡ଼ା, ଇତିଶ୍ରୀ ବାରିକ, ହରପ୍ରିୟା ପାଟ୍ଟଯୋଶୀ, ଲିପକ ମହାନ୍ତି, ସନ୍ତୋଷ ସେଠୀ, ବିକ୍ରମ ଦାସ, ଶିକ୍ଷାବିତ୍ ବୀରକିଶୋର ପ୍ରଧାନ, ସରୋଜ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ଶହୀଦ ପଦ୍ମନାଭ ଛୋଟରାୟ ବ୍ରିଟିଶ୍ କବଳରୁ ଖୋର୍ଦ୍ଧା ମାଟିର ସୁରକ୍ଷା ପାଇଁ ସଂଘର୍ଷ ଆରମ୍ଭ କରିଥିଲେ । ବକ୍ସି ଜଗବନ୍ଧୁଙ୍କ ଅତ୍ୟନ୍ତ ପ୍ରିୟ ସେନାପତି ଭାବରେ ବ୍ରିଟିଶ୍ ଶକ୍ତିକୁ ଥରହର କରିଥିଲେ । ପରବର୍ତୀ ଅବସ୍ଥାରେ କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତରେ ସେ ବ୍ରିଟିଶ୍ ହାତରେ ଧରାପଡ଼ି ଅବିଚାରିତ ଭାବରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ତାଙ୍କ ତ୍ୟାଗ ଓ ବଳିଦାନ ଏ ଜାତିକୁ ଦେଶପ୍ରେମରେ ଅନୁପ୍ରାଣିତ କରିଆସୁଛି ବୋଲି ମତ ଦେଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ କ୍ରୀଡା ପ୍ରଶିକ୍ଷକ ପ୍ରଶାନ୍ତ ବେହେରା ଓ ଯୁବ ପ୍ରତିଭା ରଶ୍ମିତା ଭୋଇଙ୍କୁ ଶହୀଦ ପଦ୍ମନାଭ ଛୋଟରାୟ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ରାଜ୍ୟ ପ୍ରତ୍ନତତ୍ୱ ସଂସ୍ଥାର ଅଧିକ୍ଷକ ଅଶ୍ୱିନୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
